Odisha Link
Bridging the Missing Links in Odisha

କରୋନା: ଆଉ ୨ ଆକ୍ରାନ୍ତ ମୃତ, ରାଜ୍ୟରେ ମୋଟ ୫

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଛି। ମୃତକ ୨ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ସୂଚନା ରହିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁବୃଦ୍ଧି ପାଇଛି।

୫ଜଣ ମୃତକଙ୍କ ମଧ୍ୟରୁ ୨ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଆଉ ୩ଜଣ ଗଞ୍ଜାମ ଜିଲ୍ଲାର। ପ୍ରଥମେ ଖୋର୍ଦ୍ଧାର ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏଥିସହିତ ରାଜ୍ୟରେ ୮୨୮ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା।

ଆଜି ଚିହ୍ନଟ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୨୮ ଜଣ, ବାଲେଶ୍ବରରୁ ୧୭ ଜଣ, ଗଞ୍ଜାମରୁ ୧୫ ଜଣ, କଟକରୁ ୧୨ ଜଣ, ପୁରୀରୁ ୭ଜଣ, କେନ୍ଦୁଝରରୁ ୪ଜଣ, ଖୋର୍ଦ୍ଧାରରୁ ୩ଜଣ, ବଲାଙ୍ଗୀରରୁ ୨ଜଣ, ଏବଂ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୨୨ଟି ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି।

ରାଜ୍ୟରେ ବର୍ତ୍ତମାନ ୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ୬୨୭ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.