Odisha Link
Bridging the Missing Links in Odisha

‘ଆମେ ଜାଣିପାରିଲୁ ନାହିଁ, ଓଡ଼ିଶା କେତେ ଟଙ୍କାର ବାତ୍ୟା ସହାୟତା ଚାହୁଁଥିଲା’: ନିରଞ୍ଜନ

ଭୁବନେଶ୍ୱର: ଗତକାଲି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ‘ଅମ୍ପାନ୍’ କ୍ଷୟକ୍ଷତି କରିଥିବା ଅଞ୍ଚଳ ବୁଲିସାରି ମୋଦି ଓଡ଼ିଶା ପାଇଁ ଅଗ୍ରୀମ ୫୦୦ କୋଟି ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ଏହି ସହାୟତା ରାଶି ଘୋଷଣାକୁ ସହଜରେ ନେଇ ନପାରିବା ସହ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ସରକାରଙ୍କ ପାଖରୁ ଚାହୁଁଥିଲା କ’ଣ ଓ ସେ ଦେଲେ କ’ଣ। ଯେତିକି ଦେଲେ ସେଥିରେ ବୋଧେ ଓଡ଼ିଶା ସନ୍ତୁଷ୍ଟ। ଅଦ୍ୟାବଧି ଖୋର୍ଦ୍ଧା, ପୁରୀ ପରି ଅନେକ ସ୍ଥାନରେ ଫୋନି ଟଙ୍କା ଲୋକେ ପାଇନାହାନ୍ତି। ସରକାର ପ୍ରଚାର କଲେ, କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ପକ୍କା ଘର ଦେଲେ । ତେବେ କଚ୍ଚା ଘରବାଲାଙ୍କୁ ନଦେଇ ପକ୍କା ଘରବାଲାଙ୍କୁ ଦେଲେ କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ ମୋଦି ବ୍ଲୁ ପ୍ରିଣ୍ଟ କରିବାକୁ କହିଥିଲେ। ଏଣେ କେନ୍ଦ୍ର ସରକାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ନିରଞ୍ଜନ କହିଛନ୍ତି। ତେବେ ପ୍ରକୃତରେ କିଏ କରିବ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏଥିସହିତ ସେ କହିଛନ୍ତି ଯେ, ଗତକାଲି ମୋଦିଙ୍କ ସାଙ୍ଗେ କେନ୍ଦ୍ରମନ୍ତ୍ରୀ ମାନେ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ହେଲେ ରାଜ୍ୟର ଜଣେ ହେଲେ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା। ‘ଓଡ଼ିଶା ମନ୍ତ୍ରୀଙ୍କୁ କ’ଣ ମନ୍ତ୍ରୀ ହିସାବରେ ଗଣତି କରାଯାଉନି କି?’ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ।

ପ୍ରକାଶ ଯେ, ଆକାଶମାର୍ଗରୁ ଅମ୍ଫାନର କ୍ଷୟକ୍ଷତି ଦେଖି ଓଡିଶା ପାଇଁ ପାଞ୍ଚ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । ପ୍ରଭାବିତ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର କାମ ପାଇଁ ୫୦୦ କୋଟିର ସହାୟତା ଦେଇଛନ୍ତି ମୋଦି । ତେବେ ବାତ୍ୟା ବେଳେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Comments are closed.