Odisha Link
Bridging the Missing Links in Odisha

ପିଏମ୍‌ ମୋଦି ଭଲ ମୁଡରେ ନାହାନ୍ତି: ଟ୍ରମ୍ପ୍

ଓ୍ବାଶିଂଟନ୍: କିଛିଦିନ ହେବ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଦେଖିବାକୁ ମିଳିଛି। ଏପରିକି ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍‌ ୨ ଦେଶର ବିବାଦ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ନିରନ୍ତର ଆଲୋଚନା କରୁଛନ୍ତି। ବର୍ତ୍ତମାନ ସମୟରେ ପିଏମ୍‌ ମୋଦୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ବିବାଦକୁ ନେଇ ମୋଦିଙ୍କ ମୁଡ୍‌ ଠିକ୍‌ ନାହିଁ ।

ହ୍ବାଇଟ୍‌ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଉପରେ ଟ୍ରମ୍ପଙ୍କୁ ପ୍ରଶ୍ନ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଏକ ବଡ଼ ବିବାଦ ରହିଛି। ମୁଁ ତୁମର ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦି)ଙ୍କୁ ପସନ୍ଦ କରେ। ସେ ଜଣେ ବହୁତ ଭଲ ମଣିଷ ବୋଲି କହିଥିଲେ।

ସେ ଆହୁରି କହିଛନ୍ତି ଯେ, ‘ଭାରତ ଏବଂ ଚୀନ୍ ମଧ୍ୟରେ ଏକ ବଡ଼ ବିବାଦ ଦେଖିବାକୁ ମିଳିଛି। ୧.୪ ବିଲିଅନ୍ ଲୋକ ଏବଂ ଦୁଇ ଦେଶର ଅତି ଶକ୍ତିଶାଳୀ ସେନା ମଧ୍ୟରେ ଏହି ବିବାଦ। ବିବାଦ କାରଣରୁ ଭାରତ ଖୁସି ନୁହେଁ ଏବଂ ଏହା ସମ୍ଭବ ଯେ ଚୀନ୍ ମଧ୍ୟ ଖୁସି ନୁହେଁ। ମୁଁ ଆପଣଙ୍କୁ କହିପାରେ ଯେ ମୁଁ ପିଏମ ମୋଦିଙ୍କ ସହ କଥା ହୋଇଥିଲି, ଭାରତ ଓ ଚୀନ୍‌ ମଧ୍ୟରେ ଯେଉଁ ସୀମା ବିବାଦ ଚାଲିଛି, ସେଥିପାଇଁ ସେ ଭଲ ମୁଡରେ ନାହାଁନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ମଧ୍ୟ ମେ ୨୭ରେ ମଧ୍ୟସ୍ଥତା ଉପରେ ଟୁଇଟ୍ କରି କହିଛନ୍ତି ଯେ ଆମେ ଉଭୟ ଭାରତ ଏବଂ ଚୀନ୍ କୁ ସୂଚନା ଦେଇଛୁ ଯେ ବର୍ତ୍ତମାନ ଚାଲିଥିବା ସୀମା ବିବାଦର ମଧ୍ୟସ୍ଥତା ପାଇଁ ଆମେରିକା ପ୍ରସ୍ତୁତ, ଇଚ୍ଛୁକ ଏବଂ ସକ୍ଷମ।

ଅପରପକ୍ଷେ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଉତ୍ତର ଦେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତ ଉଦ୍ୟମ ଚଳାଇଛି। ତେଣୁ ଏଥିରେ କୌଣସି ମଧ୍ୟସ୍ଥତାର ଆବଶ୍ୟକତା ନାହିଁ। ଅନଲାଇନ ସାମ୍ବାଦିକ ସମ୍ମିଳନୀରେ ଶ୍ରୀବାସ୍ତବ କହିଛନ୍ତି ଭାରତର ସାର୍ବଭୌମତ୍ବକୁ ଅକ୍ଷୁଣ୍ଣ ରଖିବା ଲାଗି ସରକାର ଦୃଢ ନିଶ୍ଚିତ। ସୀମା ବିବାଦକୁ ସମାଧାନ ଲାଗି ଉଭୟ ଦେଶ ସାମରିକ ଓ କୂଟନୈତିକସ୍ତରରେ ଏକ ବ୍ୟବସ୍ଥା ଆପଣାଇଛନ୍ତି। ମିଳିତ ବ୍ୟବସ୍ଥା ଦ୍ବାରା ଆପଣାଯାଇଥିବା ପ୍ରକ୍ରିୟାକୁ ଭାରତର ସୈନିକମାନେ କଡାକଡି ପାଳନ କରିବେ। ସେ କହିଛନ୍ତି ଯେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଦୁଇଦେଶ ୧୯୯୩ ପରଠାରୁ ୫ଟି ଦ୍ବିପାକ୍ଷିକ ବୁଝାମଣା କରିଛନ୍ତି।

Comments are closed.