Odisha Link
Bridging the Missing Links in Odisha

ଓଡ଼ିଶା ରାଜନୀତି ଓ ମେ’ ୨୯

୨୯ ତାରିଖ ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। ଯେମିତି ଅକ୍ଟୋବର ୨୯ ଆସିଲେ ଓଡ଼ିଶାବାସୀଙ୍କ ମନରେ ମହାବାତ୍ୟାର ଭୟ ସଞ୍ଚରି ଉଠେ ଠିକ୍‌ ସେମିତି ମେ ୨୯ ଆସିଲେ ରାଜ୍ୟ ରାଜନୈତିକ ପାଣିପାଗ ହଲଚଲ ହୋଇଥିବା କଥା ମନେ ପଡ଼େ। ଅକ୍ଟୋବର ୨୯ ସର୍ବଦା ରାଜ୍ୟବାସୀଙ୍କ ମନରେ ଅଲିଭା ଦାଗ ସଦୃଶ ହୋଇଥିବା ବେଳେ ମେ ୨୯ ରାଜ୍ୟ ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ ହୋଇ ରହିଛି। କାରଣ ମେ’ ୨୯ ଓଡ଼ିଶା ରାଜନୀତି ପାଇଁ ଏକ ସ୍ମରଣୀୟ ଦିନ। ଭୟ, ଆତଙ୍କ, ବିଦ୍ରୋହ ବିଶ୍ୱାସଘାତକତା ଓ ସଫଳତାର ଫେଣ୍ଟାଫେଣ୍ଟି ଦିନର ମୁକସାକ୍ଷୀ ହେଉଛି ଏହି ମେ ୨୯।

ଲଗାତାର ଭାବେ ୫ମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଆଜି ବି ମେ’ ୨୯ କଥା ମନେ ପଡ଼ିଲେ ଛନକା ପଶିଯାଉଥିବ ନିଶ୍ଚୟ। କାରଣ ୨୦୧୨ ମସିହା ଆଜିର ଦିନରେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। କାରଣ ଏହି ଦିନ ହିଁ ଓଡ଼ିଶା ରାଜନୀତିର ବିଚକ୍ଷଣ ନେତା ତଥା ସ୍ୱର୍ଗତ ପ୍ୟାରୀ ମୋହନଙ୍କ ଭାଗ୍ୟରେ ଲେଖା ହୋଇଥାଆନ୍ତ ଏକ ନୂଆ ଅଧ୍ୟାୟ। ସୃଷ୍ଟି ହୋଇଥାନ୍ତା ଏକ ନୂତନ ଇତିହାସ। କାରଣ କ୍ଷମତାର ଲାଳସା ପ୍ୟାରୀବାବୁଙ୍କୁ ବହୁ ଆଗକୁ ନେଇ ଯାଇଥିଲା। କିଙ୍ଗ ମେକରରୁ ସେ ହୋଇଥାନ୍ତେ କିଙ୍ଗ। ହେଲେ ସବୁ ଉଦ୍ୟମ ଫସର ଫାଟି ଯାଇଥିଲା।

ଏକଦା ବିଜୁ ଜନତା ଦଳର ରିଙ୍ଗ୍‌ ମାଷ୍ଟର ଥିଲେ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ର। ବିଜେଡି ମୁଖିଆ ଥିଲେ ନବୀନ ହେଲେ ସବୁ ନିଷ୍ପତ୍ତିର ପ୍ରଚ୍ଛଦପଟ୍ଟ ନାୟକ ଥିଲେ ପ୍ୟାରୀ। ସେ ଯେମିତି ନଚାଉ ଥିଲେ ଦଳର ନେତାମାନେ ଠିକ୍‌ ‌ସେମିତି ନାଚୁଥିଲେ। ଦଳରୁ କାହାକୁ ବିଦା କରାଯିବ, କାହାକୁ ଟିକଟ ଦିଆଯିବ ଏସବୁର ରଣନୀତି ପ୍ରସ୍ତୁତ କରୁଥିଲେ ପ୍ୟାରୀ। ଚୂଡ଼ାନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀଙ୍କ କଲମରେ ଘଟୁଥିଲେ ମଧ୍ୟ କାଳିମାର ଛିଟା ପ୍ୟାରୀବାବୁଙ୍କ ଇମେଜରେ ହିଁ ଲାଗୁଥିଲା। ସବୁ ନିନ୍ଦା, ଅପବାଦ ଓ ଅପମାନର ବୋଝ ପ୍ୟାରୀବାବୁଙ୍କ ମୁଣ୍ଡରେ ହଁ ଯାଉଥିଲା। ମୁଖ୍ୟମନ୍ତ୍ରୀ କେବଳ ରବର ଷ୍ଟାମ୍ପ ଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ରାତି ଅଧିଆ ବିଜୟ ମହାପାତ୍ରଙ୍କ ଟିକଟ କାଟିବା, ନଳିନୀ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଭଳି ନେତାଙ୍କୁ ବିଦା କରି ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ହୋଇଥିଲେ ପ୍ୟାରୀ।

ଏସବୁ ମଧ୍ୟରେ ଚାଣକ୍ୟରୁ ରାଜା ହେବାର ନିଶା ପ୍ୟାରୀ ମହାପାତ୍ରଙ୍କ ନିଦ ହଜେଇ ଦେଇଥିଲା। ଏଥିପାଇଁ ସମୟ ସୁଯୋଗ ଦେଖି ସେ ବାଛିଥିଲେ ୨୦୧୨ ମସିହା ମେ ୨୯। ସେତେବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ ନବୀନ ପଟ୍ଟନାୟକ। ନବୀନ ଲଣ୍ଡନ ଗସ୍ତରେ ଥିବା ବେଳେ କ୍ଷମତା କେନ୍ଦ୍ରକୁ ଅପହରଣ ପାଇଁ ଆରମ୍ଭ ହୋଇଥିଲା ମିଡ୍‌ ନାଇଟ୍‌ ଅପରେସନ। କେତେକ ବିଧାୟକଙ୍କୁ ହାତରେ ଧରି ପରଦିନ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜେ ପ୍ୟାରୀ ଦାବି କରିଥାନ୍ତେ ବୋଲି ଚର୍ଚ୍ଚା ହୋଇଥିଲା।

୨୦୧୨ ମେ ୨୯ରେ ଓଡ଼ିଶା ରାଜନୀତିରେ ଏକ ରାଜନୈତିକ ବାତ୍ୟା ସୃଷ୍ଟି ହୋଇଥିଲା। ସେଦିନ କିନ୍ତୁ ବାତ୍ୟାର କେନ୍ଦ୍ରସ୍ଥଳ ଥିଲା ସହିଦନଗର। ସେଦିନ ପ୍ରଖରେ ବେଗରେ ଯେଉଁ ଝଡ଼ ବହିବା ଆରମ୍ଭ କରିଥିଲା ତାକୁ ଗଣମାଧ୍ୟମ ହିଁ ପ୍ରଶମିତ କରିଦେଲା। ସେଦିନର ପ୍ୟାରୀବାବୁଙ୍କ ତତ୍କାଳୀନ ଶିଷ୍ୟ ତଥା ଆଜିର କିଛି ଯୁବନେତା ଘଟଣା ଦିନ ଗୁପ୍ତରେ ସହିଦନଗର ଗଡ଼ ସମ୍ଭାଳି ଥିଲେ ମଧ୍ୟ ଧରାପଡ଼ିବା ଆଗରୁ ଚତୁରତାର ସହ ଖସିଯାଇଥିଲେ। ଆଉ ଶେଷରେ ପ୍ୟାରୀ ହିଁ ଦଳରୁ ବିଦା ହେଲେ। ଯାହା ରାଜ୍ୟ ରାଜନୀତି ପାଇଁ ଅଭୁଲା ଦିନ ମନେ ହୁଏ।

ଅନ୍ୟପଟେ ସଂଯୋଗ ବଶତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୨୯ରେ ଭିନ୍ନ ଏକ କାରଣରୁୁ ଚର୍ଚ୍ଚାକୁ ଆସିଛିନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଲଗାତାର ୫ମ ଥର ପାଇଁ ରାଜ୍ୟରେ ବିଜୁ ଜନତା ଦଳ ବିଜୟୀ ହୋଇ ସରକାର ଗଠନ କରିଥିଲା। ଆଉ ମେ ୨୯ ତାରିିଖରେ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥିସହିତ ୨୨ ବର୍ଷ ପରେ ମଧ୍ୟ ନବୀନ ରାଜ୍ୟ ରାଜନୀତିର ସର୍ବମାନ୍ୟ ନେତା ତାହା ମଧ୍ୟ ପ୍ରମାଣିତ ହୋଇଛି। ଏସବୁ ମଧ୍ୟରେ ସବୁଠୁ ବଡ଼ କଥା ହେଲା ମେ ୨୯କୁ ନେଇ କିଛି ସକାରାତ୍ମକ ଆଲୋଚନା ପାଇଁ ଖୋରାକ ମଧ୍ୟ ମିଳିଛି। ୨୦୧୨ ମେ ୨୯ ମିଡ ନାଇଟ ଅପରେସନ୍‌ ସହିତ ଯୋଡି ହୋଇଥିବା ନେତାଙ୍କ ମଧ୍ୟରୁ ଇତି ମଧ୍ୟରେ କେତେ ଜଣ ନେତା ଦଳ ବଦଳ କରିିଥିବା ବେଳେେ ଆଜିର ସମୟରେ କିଛି ନେତା ରାଜନୀତିରୁ ଅପସରି ଯାଇଛନ୍ତି। ଆଉ କେତେଜଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ କ୍ଷମା କରିଥିବା ବେଳେ କିଛି ନେତା ଉଭୟ ଦଳ ଓ ସରକାରରେ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଫେରିଛନ୍ତି।

ସଂଯୋଗବଶତଃ, ମେ ୨୯ ତାରିଖ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫’ଟି’ ସଚିବ ଭି କାର୍ତ୍ତିକେୟାନ ପାଣ୍ଡିଆନ‌ଙ୍କ ଜନ୍ମ ତାରିଖ। ବର୍ତ୍ତମାନ ସମୟରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ନାମ ହେଉଛି ଭି କାର୍ତ୍ତିକେୟାନ୍‌ ପାଣ୍ଡିଆନ୍। ୨୦୧୨ ମସିହାରେ ରାଜ୍ୟ ରାଜନୀତିର ପ୍ରଚ୍ଛଦପଟ୍ଟ ନାୟକ ପ୍ୟାରୀ ମହାପାତ୍ର ଥିବାବେଳେ ବର୍ତ୍ତମାନ ସମୟରେ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ସେହି ଦାୟିତ୍ବ ତୁଲାଉଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୁଏ। ସେଥିପାଇଁ ରାଜ୍ୟବାସୀଙ୍କ ମନରେ ମେ’ ୨୯ ତାରିଖ ସର୍ବଦା ଅଭୁଲା ହୋଇ ରହିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ।

ସୂଚନାଯୋଗ୍ୟ, ଗତ ବର୍ଷ ଆଜିର ତାରିଖ(ମେ’ ୨୯)ରେ ହିଁ ୫ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ।

Comments are closed.