୧,୫୦୦ ଟଙ୍କା ପାଇଁ ଶତାୟୁ ମା’ଙ୍କୁ ଖଟରେ ଟାଣିଲେ, ବ୍ୟାଙ୍କ୍ ପରିଚାଳକ ନିଲମ୍ବିତ

ନୂଆପଡ଼ା: କରୋନା ଲକ୍ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଜନଧନ ବ୍ୟାଙ୍କ୍ ଖାତାକୁ ମାସକୁ ୫୦୦ ଟଙ୍କା ହିସାବରେ ମୋଟ ୧,୫୦୦ ଟଙ୍କା କେନ୍ଦ୍ରୀୟ ସହାୟତା ଆସିଥିଲା। ତେବେ ନିଜେ ଖାତାଧାରୀ ନ ଆସିଲେ ଟଙ୍କା ଉଠାଇ ହେବନାହିଁ ବୋଲି କହିଲେ ବ୍ୟାଙ୍କ କର୍ତୃପକ୍ଷ। ଆଉ ଟଙ୍କା ପାଇବାକୁ ଡହଳ ବିକଳ ଶତାୟୁ ଗରୀବ ମା’ ଆଉ ତାଙ୍କର ୬୦ ବର୍ଷିୟା ଝିଅ ଶେଷରେ ଏମିତି ଏକ ଅଭାବନୀୟ ପନ୍ଥା ଆପଣେଇଲେ। ଜୁନ୍ ୧୦ ତାରିଖରେ ନୂଆପଡ଼ା ଜିଲ୍ଲା ବାରଗାଁ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସାମନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଶଯ୍ୟାଶାୟୀ ୧୦୦ ବର୍ଷ ବୟସ୍କା ମା’ଙ୍କୁ ଧୂ ଧୂ ଖରାରେ ଦଉଡ଼ିଆ ଖଟରେ ଘୋଷାରି ଘୋଷାରି ଝିଅ ବ୍ୟାଙ୍କ ଆଣିଥିଲେ। ଏ ଘଟଣାରେ ବ୍ୟାଙ୍କ କର୍ତୃପକ୍ଷ କ୍ଷମା ମାଗିବା ସହ ସଂପୃକ୍ତ ଶାଖା ପରିଚାଳକଙ୍କୁ ନିଲମ୍ବିତ କରିଛନ୍ତି।
ସୂଚନା ଅନୁଯାୟୀ ଗରୀବ ଲଭେ ବଘେଲ(୧୦୦)ଙ୍କର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଜନଧନ ଆକାଉଣ୍ଟ ଥିଲା। ତିନି ମାସ (ଏପ୍ରିଲ-ମେ’-ଜୁନ୍) ମଧ୍ୟରେ ତାଙ୍କ ଆକାଉଣ୍ଟକୁ ମାସକୁ ୫୦୦ ହିସାବରେ ୧,୫୦୦ ଟଙ୍କା ଆସିଥିଲା। ଲଭେ ଶଯ୍ୟାଶୟୀ ଥିବାରୁ ଓ ଚଳପ୍ରଚଳ କରିପାରୁ ନ ଥିବାରୁ ଏହି ଟଙ୍କା ଉଠାଇବା ପାଇଁ ତାଙ୍କ ଝିଅ ପୁଞ୍ଜିମତୀ ଦେଇ ଜୁନ୍ ୯ ତାରିଖରେ ବ୍ୟାଙ୍କ୍ ଆସିଥିଲେ। ତେବେ ଉଠାଣ ପାଇଁ ଖାତାଧାରୀ ନିଜେ ଆସିବାକୁ ହେବ ବୋଲି ବ୍ୟାଙ୍କ୍ ମ୍ୟାନେଜର ଅଜିତ କୁମାର ପ୍ରଧାନ କହିଥିଲେ ବୋଲି ପୁଞ୍ଜିମତୀ ଜଣାଇଛନ୍ତି।
ଅଭାବରେ ଚଳୁଥିବା ଲଭେଙ୍କ ପରିବାର ପାଇଁ ଏ ୧,୫୦୦ ଟଙ୍କା ନିତାନ୍ତ ଜରୁରୀ ଥିଲା। ଏଣୁ ଅନନ୍ୟୋପାୟ ହୋଇ ପୁଞ୍ଜିମତୀ ନିଜ ଶତାୟୁ ମା’ଙ୍କୁ ଖଟ ସହ ଘୋଷାରି ଘୋଷାରି ବ୍ୟାଙ୍କ୍ ଯାଏଁ ଆଣିଥିଲେ। ଏହା ପରେ ପୁଞ୍ଜିମତୀ ଟଙ୍କା ଉଠାଇବାରେ ସଫଳ ହୋଇଥିଲେ ଏବଂ ପୁଣି ମା’ଙ୍କ ଖଟକୁ ଘୋଷାରି ଘରକୁ ଫେରିଥିଲେ।
ଏ ଘଟଣାର ଏକ ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ଗୁରୁତର ସହ ବିଚାର କରିଛନ୍ତି ରାଜ୍ୟ ସରକାର। ଘଟଣାର ତଦନ୍ତ କରି ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ସରକାର ନିର୍ଦ୪୍ଦେଶ ଦେଇଥିଲେ। ସେହି ଆଧାରରେ ବ୍ୟାଙ୍କ କର୍ତୃପକ୍ଷ ଶ୍ରୀ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି।
ଅନ୍ୟପଟେ ଘଟଣା ବାବଦରେ ବ୍ୟାଙ୍କ କର୍ତୃପକ୍ଷ ଦୁଃଖପ୍ରକାଶ କରିବା ସହ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ଶାଖା ମ୍ୟାନେଜର ଶ୍ରୀ ପ୍ରଧାନ ନିଜେ ଲଭେଙ୍କ ଘରକୁ ଯିବା ପାଇଁ କହିଥିଲେ ଓ ଲେଭେଙ୍କୁ ବ୍ୟାଙ୍କ୍ ଆଣିବା ପାଇଁ ଆଦୌ କହାଯାଇ ନଥିବା ବ୍ୟାଙ୍କ୍ ପକ୍ଷରୁ ସଚନା ରହିଛି। ତେବେ ଶାଖାରେ ଏ କାମ କରିବା ପାଇଁ ମାତ୍ର ଜଣେ ଅଫିସର ଥିବାରୁ ଘଟଣା ଦିନ ଗହଳି ଏଡ଼ାଇ ଲଭେଙ୍କ ଘରକୁ ଯିବା ସମ୍ଭବ ହୋଇ ନଥିଲା। ପରଦିନ (ଜୁନ୍ ୧୦) ଭୀଡ଼ ଏଡ଼ାଇବା ପାଇଁ ଓ ଟଙ୍କା ପୁଞ୍ଜିମତୀ ଦେଇ ବ୍ୟାଙ୍କ୍ ଖାଲିବା ଆଗରୁ ମା’ଙ୍କୁ ଘୋଷାରି ପହଞ୍ଚିଯାଇଥିଲେ। ବ୍ୟାଙ୍କ ପକ୍ଷରୁ ତୁରନ୍ତ ତାଙ୍କୁ ଟଙ୍କା ଦିଆଯାଇଥିଲା। ପୁଞ୍ଜିମତୀ ବା ତାଙ୍କ ମା’ଙ୍କୁ ଜାଣିଶୁଣି ହଇରାଣ କରିବା ମ୍ୟାନେଜରଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ବ୍ୟାଙ୍କ୍ ସ୍ପଷ୍ଟ କରିଛି।