ବଡ଼ ଖବର: ଦିନକରେ ସର୍ବାଧିକ ୨୦୦୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହିତ ଦନକରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ରେକର୍ଡ ସୃଷ୍ଟି କରିଛି। ୨୪ ଘଣ୍ଟାରେ ଭାରତରେ ୨ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି। ଯାହାକି ଦେଶରେ ଆଜି ପର୍ଯ୍ୟନ୍ତ ସର୍ବାଧିକ। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୩ ଲକ୍ଷ ୫୪ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୧୦,୯୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୦୦୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଯାହାକି ଦେଶରେ ଦିନକରେ ସର୍ବାଧିକ। ଅପରପକ୍ଷେ ୬,୯୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୪,୦୬୫ରେ ପହଁଞ୍ଚିଛି। ସେମଧ୍ୟରୁ ୧୧,୯୦୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧,୫୫,୨୨୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୧,୮୬,୯୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସବୁଠୁ ବଡ଼କଥା ହେଲା ବର୍ତ୍ତମାନ ଦେଶରେ ଥିବା ସକ୍ରିୟ ଆକ୍ରାନ୍ତଙ୍କଠୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଯାହା ଦେଶବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଗତ କିଛି ଦିନ ହେବ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ୫୫୩୭ ଜଣ ମୃତ୍ୟୁ ବରଣ କରିଛନ୍ତି।
Comments are closed.