ବଡ଼ଦାଣ୍ଡରୁ ଉଠା ଦୋକାନୀ ହଟିବାକୁ ନିର୍ଦ୍ଦେଶ

ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ପରେ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟ ପୁନର୍ବିଚାର ମାମଲାକୁ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ନିକଟକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସିଜେଆଇ ନାଗପୁରସ୍ଥିତ ତାଙ୍କ ଘରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ।
ଏସବୁକୁ ନଜରରେ ରଖି ପୁରୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ଥିବା ସମସ୍ତ ଉଠା ଦୋକାନକୁ ତୁରନ୍ତ ଜାଗା ଖାଲି କରିବାକୁ ପୁରୀ ମୁନିସିପାଲଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିିତ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରୁଦ୍ଧ ଦ୍ବାର ବୈଠକ ଅନୁଷ୍ଠିତ ହୋଇଛି। ପରିଚାଳନା କମିିଟିର କିଛି ସଦସ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।