ସର୍ବଦା ସଙ୍କଟକୁ ସଫଳତାରେ ବଳଦାଇଛି ଭାରତ: ମୋଦି

ନୂଆଦିଲ୍ଲୀ: ପ୍ରତିମାସ ଶେଷ ରବିବାର ଭଳି ଆଜି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ କି ବାତ୍ କାର୍ଯ୍ୟକ୍ରମ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପିଏମ୍ ମୋଦି। ମୋଦି କହିଛନ୍ତି ଯେ, ୨୦୨୦ ବର୍ଷ ଅଧା ଯାତ୍ରା ଶେଷ କରିଛି। ସର୍ବତ୍ର ବିଶ୍ୱ ମହାମାରୀ ବିଷୟରେ ଆଲୋଚନା ହେଉଛି। ଏପରିକି ସମସ୍ତେ ସମାନ ବିଷୟ ଉପରେ ଆଲୋଚନା କରୁଛନ୍ତି। କାହିଁକି ଏହି ବର୍ଷ ଶୀଘ୍ର ସରୁ ନାହିଁ। ଏହି ରୋଗ କେବେ ଶେଷ ହେବ। ଏପରିକି କେହି କେହି କହୁଛନ୍ତି, ୨୦୨୦ ଶୁଭ ନୁହେଁ। ଏହା ସେମାନଙ୍କ ପାଇଁ ବହୁ ଚ୍ୟାଲେଞ୍ଜ ଆଣିଛି, ତେଣୁ ଚିନ୍ତା ସ୍ବାଭାବିକ ବୋଲି ମୋଦି କହିଛନ୍ତି।
ମୋଦି ଆହୁରି କହିଛନ୍ତି ଯେ, ଭାରତ ପୂର୍ବରୁ ବହୁ ସମସ୍ୟାରୁ ମୁକୁଳି ଆସିଛି, ଏଥର ବି ସବୁ ସମସ୍ୟାକୁ ସମାଧାନ କରିପାରିବ। ନୂଆ ବିଚାରରେ ଆମକୁ ଆଗେଇବାକୁ ପଡିବ। ଆଗକୁ ବଢିଲେ ନୂଆ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ସମ୍ଭବ ହୋଇପାରିବ। ସର୍ବଦା ସଙ୍କଟକୁ ସଫଳତାରେ ବଳଦାଇଛି ଭାରତ।
ଏଥିସହିତ ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଲଦାଖରେ ଶତ୍ରୁକୁ କଡା ଜବାବ ଦେଇଛନ୍ତି ଯବାନ। ବୀର ଯବାନଙ୍କ ପରାକ୍ରମକୁ ଦେଶ ସ୍ମରଣ କରୁଛି। ବୀର ସହିଦଙ୍କ ପାଇଁ ଏଦେଶ ସର୍ବଦା ଗର୍ବିତ ଅନୁଭବ କରୁଛି।
ଭାରତ ମିତ୍ରତା ସହ ଶତ୍ରୁକୁ କଡା ଜବାବ ଦେବା ବି ଜାଣିଛି। ସୁରକ୍ଷା ଦିଗରେ ଭାରତ ଆଗୁକ ଆଗେଇଛି। ସଙ୍କଟ ସମୟରେ ଅନେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏହା ସହ ସହାୟତା ପାଇଁ ଦେଶବାସୀ ଆଗକୁ ଆସୁଛନ୍ତି ବୋଲି ମୋଦି କହିଛନ୍ତି।