Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, ଟିଭିରେ ଦେଖିବାକୁ ଭକ୍ତ ବ୍ୟାକୁଳ

ପୁରୀ: ସରିଲା ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରୁ ଲୀଳା ଖେଳ ସାରି ଏବେ ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉ। ଗତକାଲି ସୁନାବେଶ ପରେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ। କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥାଏ ଏହି ପଣା।

ଅଧରପଣା ପାଳିଆ ମହାସୁଆର ରଥ ଉପରେ ପ୍ରସ୍ତୃତ କରିଥାନ୍ତି। ଏହାପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ସେବକ ତିନି ରଥରେ ପୂଜା ପାଠ କରନ୍ତି। ତା’ ପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି। ତାପରେ ଅଧରହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ।

ଶ୍ରୀଜିଉଙ୍କ ଘୋଷଯାତ୍ରା ବେଳେ ରଥରେ ରହୁଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି -ଚାମଣ୍ଡା ଓ ଅଶରୀରୀଙ୍କ ଉଦ୍ଦେଶ୍ୟର ଏହି ପଣା ପ୍ରସ୍ତୁତ କରାଯିବାର ପରମ୍ପରା ରହିଛି। ଆଜିର ଏହି ନୀତି ସରିବା ପରେ ଆସନ୍ତାକାଲି ଚତୁର୍ଦ୍ଧାମୁରତୀଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ସୂଚନାଥାଉକି, ଏହି ପଣାଲାଗି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଓଡ଼ିଆ ମଠ, ରାଘବ ଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥାଏ।

Comments are closed.