Odisha Link
Bridging the Missing Links in Odisha

ତିନିମାସ ଧରି ଚାଲିଥିଲା ନକଲି SBI ଶାଖା, ୩ ନକଲି କର୍ମଚାରୀ ଗିରଫ

ଚେନ୍ନାଇ: ତାମିଲନାଡ଼ୁର କୁଡ଼ାଲୋର୍‌ ଜିଲ୍ଲା ପାଁରୁଟି ଠାରେ ତିନି ମାସ ଧରି ଏକ ନକଲି ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖା ଚଳାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ୧୯ ବର୍ଷିୟ କମଳ ବାବୁଙ୍କ ବାପା ଓ ମା’ ଉଭୟେ ଏସ୍‌ବିଆଇର ପୁରୁଣା କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଏ କୁମାର (୪୨) ଜଣେ ଛାପାକଳ ମାଲିକ ଓ ଏମ୍‌ ମନତକାମ୍‌ (୫୨) ରବର୍‌ ଷ୍ଟାମ୍ପ ତିଆରି କରନ୍ତି।

ସହରରେ ପୂର୍ବରୁ ଦୁଇଟି ଏସ୍‌ବିଆ ଶାଖ ଥିବା ବେଳେ ଆଉ ଗୋଟିଏ ଶାଖା ଖୋଲିଲା କି ବୋଲି କିଛି ଗ୍ରାହକ ଅନ୍ୟ ଶାଖାରେ ପଚାରିଥିଲେ। ଏନେଇ ଶାଖା ପରିଚାଳକ ମୁଖ୍ୟ କାର୍ଯ୍ୟାଳୟକୁ ପଚାରିଥିଲେ। ଏପରି କୌଣସି ନୂଆ ଶାଖା ଖୋଲି ନଥିବା ନେଇ ନିଶ୍ଚିତ ହେବା ପରେ ଶାଖା ପରିଚାଳକ ନିଜ କର୍ମଚାରୀଙ୍କ ସହ ନକଲି ଶାଖା ବୁଲିବାକୁ ଯାଇଥିଲେ। ନକଲି ଶାଖା ଏକ ପୂର୍ଣ୍ଣ ବ୍ୟାଙ୍କ୍‌ର ଭ୍ରମ ସୃଷ୍ଟି କରୁଥିଲା। ମୁଖ୍ୟ ଅଭିଯୁକ୍ତତ କମଳ ବାବୁର ଘର ଉପର ମହଲାରେ ଖୋଲିଥିବା ଏ ଶାଖାରେ ପରିଚାଳକଙ୍କ କୋଠରୀ, କ୍ୟାଶ୍‌ କାଉଣ୍ଟର୍, ପ୍ରିଣ୍ଟର, ଚାଲାଣ, ଫର୍ମ ଆଦି ସବୁ ମହଯୁଦ ଥିଲା। ଏହା ଦେଖିବା ପରେ ମ୍ୟାନେଜର୍‌ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହ ନକଲି ବ୍ୟାଙ୍କ ସିଲ୍‌ କରିଛି।

ପୁଲିସ ସୂଚନା ଅନୁଯାୟୀ କମଳ ବାବୁର ବାପା ଏସ୍‌ବିଆଇ କର୍ମଚାରୀ ଥିଲେ ଓ ୧୦ ବର୍ଷ ଆଗରୁ ତାଙ୍କର ମୃତ୍ୟୁ ହୋଇଛି। ତା’ର ମା’ ମଧ୍ୟ ଏସ୍‌ବିଆଇ କର୍ମଚାରୀ ଓ ଦୁଇବର୍ଷ ତଳେ ଅବସର ନେଇଛନ୍ତି। ବାପାଙ୍କ ସ୍ଥାନରେ ନିଜକୁ ଅବସ୍ଥାପିତ କରିବା ପାଇଁ କମଳ ଏସ୍‌ବିଆଇ କର୍ତୃପକ୍ଷଙ୍କୁ ଆବେଦନ କରିଥିଲା। ଏ ନେଇ ଉତ୍ତର ମିଳିବାରେ ବିଳମ୍ବ ହେବାରୁ ସେ ଏଭଳି ନକଲି ବ୍ୟାଙ୍କ ଖୋଲିବାର ନିଷ୍ପତ୍ତି ନେଲା। ତାକୁ ଏଥିରେ ସହଯୋଗ କଲେ ଏ କୁମାର ଓ ଏମ୍‌ ମନତକାମ୍। ଏ କୁମାରର ପ୍ରେସ୍‌ରେ ବ୍ୟାଙ୍କର ନକଲି ଫାରମ ଓ ଚାଲାଣ ଆଦି ଛପା ହୋଇଥିବା ବେଳେ ନକଲି ରବର୍‌ ଷ୍ଟାମ୍ପ ପ୍ରସ୍ତୁତ କରିଛି ମନତକାମ୍। ପୁଲିସ ଚଢ଼ାଉ ବେଳେ ୩ ଜଣ ଉପସ୍ଥିତ ଥିଲେ।

ସେମାନେ କାହାକୁ ଟଙ୍କା ଠକିବା ନେଇ ଏଯାଏଁ କୌଣସି ଅଭିଯୋଗ ପୁଲିସକୁ ମିଳିନାହିଁ। ଏଭଳି ନକଲି ବ୍ୟାଙ୍କ୍‌ ଶାଖା ଖୋଲିବା ପଛରେ ସେମାନଙ୍କର ଉଦ୍ଦେଶ୍ୟ ମଧ୍ୟ ଜଣାପଡ଼ିନାହିଁ। ପୁଲିସ ତଦନ୍ତ ଜାରି ରଖିଛି।

Comments are closed.