Odisha Link
Bridging the Missing Links in Odisha

କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହୋଇଗଲେ ଦେଶରୁ କରୋନା ପଳାଇବ: ଶରଦ ପାଓ୍ବାର

ମୁମ୍ବାଇ: ରାମ ମନ୍ଦିର ନିର୍ମାଣକୁ ନେଇ କଟାକ୍ଷ କରିଛନ୍ତି ରାଷ୍ଟବାଦୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାଓ୍ବାର। ସେ କହିଛନ୍ତି ଯେ, କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ଦ୍ବାରା କରୋନା ଭାଇରସ୍‌ ଲୋପ ପାଇଯିବ। କେଉଁ କାମ କେତେ ମହତ୍ବପୂର୍ଣ୍ଣ ସେ କଥା ନିର୍ଣ୍ଣୟ କରାଯିବାର ଆବଶ୍ୟକତା ରହିଛି । ପ୍ରାଥମିକତା ଭାବେ ସରକାର ଏବେ ଲକ୍‌ଡାଉନ୍ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଚିନ୍ତା କରିବା କଥା ବୋଲି ଶ୍ରୀ ପାୱାର କହିଛନ୍ତି ।

ଶରଦ ପାୱାର ମହାରାଷ୍ଟ୍ରର ସୋଲାପୁରକୁ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ପ୍ରଶ୍ନର ଉତ୍ତର ରଖି ପାଓ୍ବାର କହିଛନ୍ତି ଯେ, ସରକାର ମନ୍ଦିର ନିର୍ମାଣ ଚିନ୍ତା ନକରି ଲକ୍‌ଡାଉନ୍‌ ପାଇଁ ହୋଇଥିବା କ୍ଷୟକ୍ଷତିର କିଭଳି ଭରଣ ପୋଷଣ ହୋଇପାରିବ ସେ ନେଇ ଚିନ୍ତା କରିବା ଦରକାର।

ସେ ଆହୁରି କହିଥିଲେ ଯେ, କରୋନା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ମାତ୍ର କିଛି ଲୋକ ମନ୍ଦିର ନିର୍ମାଣ କାମରେ ଲାଗିଛନ୍ତି । ସେମାନେ ଭାବୁଛନ୍ତି ଯେ ମନ୍ଦିର ନିର୍ମାଣ ହୋଇଗଲେ ଦେଶରୁ କରୋନା ପଳାଇବ ।

ସୂଚନାଥାଉକି, ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପୂଜାର୍ଚନା କରିବେ। ଦେଶର ବିଭିନ୍ନ ଅଞ୍ଚଳରୁ ବେଦଜ୍ଞ ବ୍ରାହ୍ମଣମାନେ ଏହି ଅବସରରେ ଯୋଗ ଦେବେ । ବିଭିନ୍ନ ସାଧୁସନ୍ଥ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

Comments are closed.