Odisha Link
Bridging the Missing Links in Odisha

ମହିଳା ସୁରକ୍ଷା ଦିଗରେ ଆଉ କେତେ ଦିନ ନିରବ ରହିବେ ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି। ପ୍ରତିଦିନ ମହିଳା ଓ ନାବାଳିକାମାନଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି । ବିଶେଷ କରି ଗତ କିଛି ମାସ ହେବ ଆଦିବାସୀ ନାବାଳିକା ମାନଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦ ଜୁଲାଇରେ କିଛି ଦୃବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ।

ଏହି ଘଟଣାକୁ ୨ ଦିନ ବିତିଥିଲେ ବି ପୋଲିସ ଏର୍ପ୍ୟନ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇପଡିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ଅନେକ ଘଟଣାରେ ଶାସକ ଦଳ ଚାପରେ ଅଥବା ଶାସକ ଦଳର ସଂପୃକ୍ତି ଥିବା ଯୋଗୁଁ ଦୁଷ୍କର୍ମକାରୀଙ୍କୁ ଉଚିତ୍ ଦଣ୍ଡ ମିଳିପାରୁନାହିଁ । ଅନ୍ୟପଟେ ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷା ଦିଗରେ କାହିଁକି ନୀରବ ରହୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ଡ.ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ମହିଳା ଏବଂ ନାବାଳିକା ମାନଙ୍କୁ ସୁରକ୍ଷା ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରଥମ ଦାୟୀତ୍ୱ। କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମହିଳା କମିଶନ କେହି ବି ନିଜର ସାମ୍ବିଧାନିକ ଦାୟୀତ୍ୱ ତୁଲାଉନାହାଁନ୍ତି। ପ୍ରତିଦିନ ମହିଳାଙ୍କ ଇଜ୍ଜତ ଲୁଟ୍ ହେଉଛି। ଜନପ୍ରତିନିଧୀମାନଙ୍କର କୌଣସି ଭୂମିକା ନଥିବାରୁ ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି। ସେମାନେ ବି ମହିଳା ସୁରକ୍ଷା ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ରାଜ୍ୟସରକାରଙ୍କ ଅପାରଗତା ଓ ନୀରବତା ଯୋଗୁଁ ଅପରାଧୀମାନେ ଏଠି ସକ୍ରିୟ ହୋଇ ଖୁଲୁମଖୁଲା ମହିଳା ଓ ନାବାଳିକାଙ୍କ ସହ ଅପରାଧ ଘଟାଇ ଚାଲିଛନ୍ତି।

ରାଜ୍ୟରେ ଆଦିବାସୀ ଝିଅ ହୋଇ ଜନ୍ମହେବା ଏବେ ଅଭିଶାପ ପାଲଟିଛି। ପୂର୍ବରୁ କୁନ୍ଦୁଲି ପୀଡିତା, ମାଲକାନଗିରି , ବୀରମିତ୍ରପୁର ଆଦିବାସୀ ମହିଳା ଓ ନାବାଳିକା ଦୁଷ୍କର୍ମ ଘଟଣାରେ ପୋଲିସର ନିଷ୍କ୍ରିୟତା ସାମ୍ନାକୁ ଆସିଛି । ରକ୍ଷକ ଏଠି ଭକ୍ଷକ ସାଜୁଛି । ଅନେକ ସମୟରେ ତଦନ୍ତକୁ ବାଟବଣା କରିବା ପାଇଁ ଖୋଦ୍ ପୋଲିସ ତଥ୍ୟ ପ୍ରମାଣ ନଷ୍ଟ କରୁଛି । ଶାସକ ଦଳ ଇଙ୍ଗିତରେ ପୋଲିସ ଅପରାଧୀମାନଙ୍କୁ ଘଂଟ ଘୋଡାଇବାର ପ୍ରମାଣ ଲୋକଲୋଚନକୁ ଆସିଛି । ରାଜ୍ୟରେ ଏଭଳି ଅମାନବୀୟ ଏବଂ ଅଭାବନୀୟ ଘଟଣା ପାଇଁ କେବଳ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଗିରଫ କରିବା ସହ ଜିଲ୍ଲା ପ୍ରଶାସନ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଡ.ସାମନ୍ତସିଂହାର ଦାବୀ କରିଛନ୍ତି । ମହିଳା ସୁରକ୍ଷା ଦିଗରେ ଯଦି ରାଜ୍ୟ ସରକାର ଆଗକୁ କୈାଣସି ପଦପେକ୍ଷ ଗ୍ରହଣ ନକରନ୍ତି ତେବେ ସରକାରଙ୍କ ବିରୁଦ୍ଧରେ ରାଜ୍ୟ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି ।

Comments are closed.