Odisha Link
Bridging the Missing Links in Odisha

ମଧ୍ୟବିତ୍ତ: ଅର୍ଥର ଅଭାବ, ହାତ ପତେଇବାକୁ ଲାଜ

ଡ଼ିଆରେ ଏକ ଲୋକ କଥା ଅଛି କି “ବଡ଼ ପୁଅ ବାପାର, ସାନ ପୁଅ ମାଆର, ମଝି ମଝିଆଁ ନୁହଁନ୍ତି କାହାର”। ଏହି ଉକ୍ତିଟି ବର୍ତ୍ତମାନର ସ୍ଥିତିକୁ ଖୁବ ସୁହାଉଛି। ଆଜିର ଦିନରେ କୋଭିଡ-୧୯ ବା କରୋନା ଭାଇରସ୍‌ ସାରା ବିଶ୍ବରେ କାୟା ବିସ୍ତାର କରିଛି। ସାରା ବିଶ୍ବ କରୋନା ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ ମୁକୁଳିବା ପାଇଁ ବିକଶିତ ରାଷ୍ଟ୍ର ଗୁଡ଼ିକ ଅର୍ଥନୀତିକୁ ସୁଧାରିବାକୁ ସଂଘର୍ଷ କରୁଛନ୍ତି। ଏଭଳି ସ୍ଥିତିରେ ଭାରତ ଭଳି ଏକ ପ୍ରଗତିଶୀଳ ରାଷ୍ଟ୍ରର ଅର୍ଥନୀତି ବିପର୍ଯ୍ୟସ୍ତ ହେବା ସ୍ବାଭାବିକ କଥା। କରୋନା ସଂକ୍ରମଣକୁ କାବୁ କରିବାକୁ ସରକାର ଲକ୍‌ଡାଉନ୍‌ କଟକଣା ଜାରି କଲେ। ଲକ୍‌ଡାଉନ୍ ସମୟରେ ସମସ୍ତଙ୍କ ପାଇଁ ନିୟମ ସମାନ। କେହି ପଦାକୁ ଗୋଡ଼ କାଢ଼ିବେନି ବୋଲି ସରକାର କଡ଼ା ନିୟମ ମଧ୍ୟ କରିଲେ। ଫଳରେ ଗୋଟେ ପଟେ କରୋନା ଭାଇରସ ସଂକ୍ରମଣର ଭୟ ଘାରିଥିବା ବେଳେ ଅନ୍ୟପଟେ ପେଟ ଚିନ୍ତା। ଏହାକୁ ନଜରରେ ରଖି ରାସନକାର୍ଡଧାରୀଙ୍କୁ ଆଗୁଆ ଚାଉଳ ଓ ଟଙ୍କା ପ୍ରଦାନ କରିଲେ ସରକାର। ସେହିପରି ବୟସ୍କ ଲୋକଙ୍କୁ ଆଗୁଆ ୩ମାସର ବାର୍ଦ୍ଧକ୍ୟ ଭତ୍ତା, ପେନସନ ସମେତ ସବୁ ପ୍ରକାରର ଆର୍ଥିକ ସହାୟତା ଯୋଗାଇଲେ ସରକାର। ଯାହା ସରକାରଙ୍କର ଗରିବଙ୍କ ପ୍ରତି ଦାୟିତ୍ୱକୁ ବୁଝାଉଛି। କେବଳ ସେତିକି ନୁହେଁ ଜନଧନ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ମଧ୍ୟ ସରକାର ସିଧାସଳଖ ଅର୍ଥ ପଠାଉଛନ୍ତି। ଯାହା ଦ୍ୱାରା ସେମାନଙ୍କ ଚଳିବାରେ କୌଣସି ସମସ୍ୟା ହେବ ନାହିଁ। ସେହିପରି ଧନୀ ଶ୍ରେଣୀୟ, ପଇସା ଥିଲା ବାଲା ବା ବ୍ୟାଙ୍କରୁ ବଡ଼ ଆକାରର ଋଣ ନେଇଥିବା ଲୋକଙ୍କ ପାଇଁ ବି ସରକାର ୩ ମାସ ଛାଡ଼ କରିଛନ୍ତି, ଏହି ସମୟ ଭିତରେ ସେମାନେ ଋଣ ଟଙ୍କା ନ ସୁଝି ପରେ ସୁଝିଲେ ତାଙ୍କ ଉପରେ ଆଉ ଅତିରିକ୍ତ ସୁଧହାର ଲାଗିବନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ଫଳରେ ତାଙ୍କ ମୁଣ୍ଡରୁ ଏକ ବଡ଼ ବୋଝ ହାଲକା ହୋଇଯାଇଛି କହିଲେ ଚଳେ।

ଭାରତ ଭଳି ବିଶାଳ ଜନସଂଖ୍ୟା ଦେଶରେ ରାଷ୍ଟ୍ରୀୟ ଅର୍ଥନୀତି ଊର୍ଦ୍ଧ୍ବଗାମୀ ହେବାରେ ବାଧା ତ ନିଶ୍ଚୟ ରହିବ। ଦେଶର ରାଜକୋଷରେ ମଧ୍ୟବିତ୍ତଙ୍କ ପ୍ରଦତ୍ତ ଟିକସର ଭୂମିକା ଗୁରୁତ୍ବପୂର୍ଣ୍ଣ। ତେବେ ଅର୍ଥବ୍ୟବସ୍ଥାକୁ ବୁଝୁଥିବା ପଣ୍ଡିତମାନଙ୍କ ଦୃଷ୍ଟିରେ ମଧ୍ୟବିତ୍ତଙ୍କ ସମସ୍ୟା ପ୍ରତି କାହାର ନିଘା ନାହିଁ। ଗରିବର ସଂଜ୍ଞା ଏହି ପଣ୍ଡିତମାନେ ନିଜ ନିଜ ଅନୁଭବ ଅନୁସାରେ ନିର୍ଦ୍ଧ।ରଣ କରିଥାନ୍ତି। ସତେ ଯେମିତି ଗରିବ ବା ମଧ୍ୟବିତ୍ତ ବର୍ଗ ନିହାତି ଗୁରୁତ୍ବହୀନ ଏବଂ କେବଳ ଶୋଷିତ ହେବା ପାଇଁ ଉଦ୍ଦିଷ୍ଟ। କରୋନା ସଙ୍କଟ ମଧ୍ୟରେ ମଧ୍ୟବିତ୍ତଙ୍କ କଥାକୁ ଅଣ ଦେଖା କରାଯାଇଛି। ଏବେ ଯେଉଁ ଭଳି ସ୍ଥିତି ଉପୁଜୁଛି ମଧ୍ୟବିତ୍ତ ଶ୍ରେଣୀର ଲୋକଟି କିପରି ଚଳିବ? ନା ତା ପାଖେ ଅଛି ପର୍ଯ୍ୟାପ୍ତ ସମ୍ବଳ ନା ସରକାରୀ ସହାୟତା। ଖଟିଲେ ଖାଉଥିବା ଲୋକଟି ଏହି ଲକଡାଉନ,ସଟ୍‌ଡାଉନ୍‌ ଓ କରୋନା ସଙ୍କଟ ସମୟରେ କେମିତି ନିଜ ପରିବାର ମୁହଁରେ ଦିମୁଠା ଦାନା ଦେବ? ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କର ସବୁବେଳେ ଗୋଟିଏ ସମସ୍ୟା ଅର୍ଥର ଅଭାବ ଓ ଅନ୍ୟପଟେ ପର ପାଖେ ହାତ ପତେଇବାକୁ ଲାଜ। ଏହି କାରଣରୁ ସବୁବେଳେ ମଝିରେ ପେଷି ହୁଏ ସେ। ମାତ୍ର ପାଏନି କୌଣସି ସହାୟତା।

ତେବେ ମଧ୍ୟବିତ୍ତ କିଏ?, ଏଭଳି ପ୍ରଶ୍ନ ବାରମ୍ବାର ମନରେ ଆସିଥାଏ। ମୋ ମତରେ ଯାହା ପାଖରେ ଚାକିରି, ଜରୁରୀ ଜିନିଷପତ୍ର ସହିତ ଏକ ଘର, ବାଇକ ଥାଏ। ଯାହାର ସ୍ଵପ୍ନ ତାର ବାସ୍ତବତା ଠାରୁ ବହୁତ ବଡ଼ ହୋଇଥାଏ। ଆଉ ଯିଏ ସେଇ ସ୍ଵପ୍ନ ରାତିରେ ଶୋଇକି ନୁହେଁ ବରଂ ଦିନରେ ଚାହିଁ କରି ପୁରା କରିବାରେ ବିଶ୍ଵାସ କରେ। ଯାହାର ଜୀବନଟା ସବୁବେଳେ କେବଳ ଦରମା ଉପରେ ନିର୍ଭର କରେ। ଯିଏ ପ୍ରତିବର୍ଷ ବଜେଟ ଅଧିବେଶନକୁ ଚାହିଁ ରହିଥାଏ ଯେ, କେଉଁଥିରେ କେତେ ରିହାତି ମିଳିବ ଓ ସେ କେଉଁଥିରେ କେତେ ସଞ୍ଚୟ କରିପାରିବ। ଏହିସବୁ ଲକ୍ଷଣ ଯାହା ପାଖରେ ଦେଖା ଯାଏ, ସେମାନେ ହେଉଛନ୍ତି ମଧ୍ୟବିତ୍ତ ପରିବାରର ମଣିଷ। ମଧ୍ୟବିତ୍ତ ଶ୍ରେଣୀର ଲୋକ ସମସ୍ତେ ମାସର ଶେଷ ତାରିଖକୁ ଚାହିଁ ବସିଥାନ୍ତି, କାହିଁକି ନା ସେଦିନ ଆକାଉଣ୍ଟକୁ ଦରମା ଆସେ। ଉଠିଲା ବେଳରୁ ନେଇ ମେସେଜ ପାଇବା ପର୍ଯ୍ୟନ୍ତ ମନ ଟେନସନରେ ରୁହେ। ଆଉ ମେସେଜ ପାଇଲା ପରେ ଯେଉଁ ଖୁସି କହିଲେ ନସରେ। ଦରମା ଦୁଇ ଦିନ ପଯ୍ୟନ୍ତ ଆକାଉଣ୍ଟରେ ରଖି ଦଶ ଥର ଆକାଉଣ୍ଟ୍ ଖୋଲି ଚେକ କରି ନିଜେ ନିଜେ ଖୁସି ହୁଅନ୍ତି। ତାପରେ ଆକାଉଣ୍ଟରୁ ଖର୍ଚ୍ଚର ପର୍ବ ଆରମ୍ଭ ହୋଇଯାଏ। ଆଉ ମାସର ପାଞ୍ଚ ତାରିଖ ଭିତରେ ୮୦ ପ୍ରତିଶତ ଆକାଉଣ୍ଟ୍ ଖାଲି ବି ହେଇଜାଯାଏ। ସେଥିରେ (EMI ), ଇନ୍ସୁରାନ୍ସ, ଛୁଆଙ୍କ ପାଠ ପଢା, ଘରର ସଉଦା, ପନି ବରିବା ଓ ଅନ୍ୟାନ୍ୟ ସାମଗ୍ରୀରେ ହିଁ ସରିଯାଇଥାଏ।

କରୋନା ସଙ୍କଟରେ ସରକାରଙ୍କ ଅନୁରୋଧ ସତ୍ତ୍ବେ ଅନେକ ବେସରକାରୀ ସଂସ୍ଥା ନିଜ କର୍ମଚାରୀଙ୍କ ଦରମା କାଟ୍ କରିଛନ୍ତି। କେତେକ ସ୍ଥଳରେ ଛଟେଇ ମଧ୍ୟ କରାଯାଇଛି। ଲକ୍‌ଡାଉନ୍ ସମୟରେ ପ୍ରବାସୀଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟ ମାଗଣାରେ ବଣ୍ଟନ କରି ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ଆତ୍ମ ପ୍ରଚାର କରୁଥିବା ଅନେକ ବ୍ୟବସାୟିକ ସଂସ୍ଥା ବ୍ୟବସାୟ ବନ୍ଦ, ବକେୟା ଆଦାୟ ବନ୍ଦ ଦର୍ଶ।ଇ ନିଜ କର୍ମଚାରୀଙ୍କ ଦରମା କାଟ କଲେ। ବର୍ଷ ବର୍ଷ ଧରି ଲାଭ ଖାଉଥିବା ଏହି କମ୍ପାନୀମାନେ ଗୋଟିଏ ମାସ ବି ନିଜ କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେଇପାରିଲେ ନାହିଁ। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଅନୁରୋଧ ସତ୍ତ୍ବେ ଘରମାଲିକ ଭଡ଼ାଟିଆଙ୍କୁ ଘରଭଡ଼ା ଛାଡ଼ କରିବାର ସାହସ ଓ ଆଗ୍ରହ ଦେଖାଇ ପାରିଲେନି। କାରଣ ଏହି ଘର ମାଲିକମାନଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟବିତ୍ତ ଶ୍ରେଣୀର। ପୈତୃକ ଘରକୁ ଭଡ଼ା ଲଗାଇ ଚଳୁଥିବା ତଥାକଥିତ ମଧ୍ୟବିତ୍ତ। ଯିଏକି ନା ସରକାରୀ ନା ବେସରକାରୀ ସୁବିଧା ପାଉଛି। କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ। ଜନଧନ ଯୋଜନାରେ ବ୍ୟାଙ୍କ୍ ଖାତା ଖୋଲିଥିବା ମହିଳାମାନଙ୍କୁ ଟଙ୍କା ବାଣ୍ଟିଲେ। କିନ୍ତୁ ସବୁ ମଧ୍ୟବିତ୍ତ ପରିବାରର ସ୍ତ୍ରୀଲୋକ କ’ଣ ଜନଧନ ଯୋଜନାରେ ଖାତା ଖୋଲି ପାରିଛନ୍ତି। ଯେଉମାନଙ୍କର ଆଗରୁ ବ୍ୟାଙ୍କ୍ ରେ ସାଧାରଣ ସଞ୍ଚୟ ଖାତା ରହିଛି ସେମାନେ ତ ଜନଧନ ଯୋଜନାର ଲାଭ ପାଇପାରିବେନି। ଏପରିକି ସ୍ମାର୍ଟଫୋନ୍‌ ପାଇଁ ପ୍ରତି ମାସରେ ଅନ୍ୟୂନ ୨୦୦ ଟଙ୍କା ରିଚାର୍ଯ କରିବାକୁ ବାଧ୍ୟ। ନ ହେଲେ କଥାବାର୍ତ୍ତ। ସଙ୍ଗେ ପିଲାର ପାଠପଢ଼ା ବନ୍ଦ।

ବାସ୍‌ ଏସବୁ ଭିତରେ ବି ସେମାନେ ନିଜର ଛୋଟ ଛୋଟ ଖୁସିର ରାସ୍ତା ବାହାର କରିଦିଅନ୍ତି। କାରଣ ସେମାନେ ଜାଣିଛନ୍ତି ଯେ, ନା ସେମାନେ ଧନୀ ଯିଏ ଯାହା ଚାହିଁବ କିଣିପାରିବ ଓ ନା ହି ସେମାନେ ଗରିବ ଯିଏ ମୁହଁ ଖୋଲି ମାଗିପାରିବ। ଆଉ ସବୁଠୁ ବଡ କଥା ହେଲା ମଧ୍ୟବିତ୍ତ ପରିବାରର ଆଦର୍ଶ ଯାହା ଜୀବନ ତାଙ୍କୁ ପ୍ରତିଦିନ ଏବଂ ପ୍ରତି ମୁହୁର୍ତ୍ତରେ ଶିଖାଇଥାଏ। ଯାହାଦ୍ଵାରା କି ସେମାନେ କେବେବି କୌଣସି ପରିସ୍ଥିତିରେ ବି ହାର ମାନନ୍ତି ନାହିଁ । ସେମାନେ ଯେଉଁଠିକୁ ବି ଯାଆନ୍ତୁ ନିଜକୁ ସବୁ ପରିସ୍ଥିତିରେ ଖାପ ଖୁଆଇ ନିଅନ୍ତି। ଏହା ହେଉଛି ଏକ ମଧ୍ୟବିତ ପରିବାରର କାହାଣୀ। ଯାହା ବିଷୟରେ ନା କେବେ କେହି କଥା ହୁଅନ୍ତି ଓ ନା କେବେ କେହି ଜାଣିବାକୁ ଇଚ୍ଛା କରନ୍ତି। କେନ୍ଦ୍ରସରକାର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ସେଥିପାଇଁ ନାନା ପ୍ରକାର ପ୍ରଚାର ମଧ୍ୟ ହେଉଛି। ଅପରପକ୍ଷେ ରାଜ୍ୟ ସରକାର ବି “ମୋ ସରକାର” ନାମରେ ବେଶ୍ ବାହାବା ନେଉଛନ୍ତି । କିନ୍ତୁ ସବୁ ଭିତରେ ପେଶି ହେଉଛନ୍ତି ମଧ୍ୟବିତ୍ତ ପରିବାର।

Comments are closed.