ଦାଶ ବେନହୁରଙ୍କ ବାବଦରେ ୫ଟି ଅଜଣା କଥା

ଜଣାଶୁଣା ଓଡ଼ିଆ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କର ଆଜି ଜନ୍ମତିଥି। ୧୯୫୩ ମସିହା ଅଗଷ୍ଟ ୩ ତାରିଖରେ ଖଣ୍ଡପଡ଼ାରେ ଜନ୍ମିତ ଦାଶ ବେନହୁର ଏହା ଭିତରେ ୬୭ଟି ଶ୍ରାବଣ ଅତିକ୍ରମ କରିସାରିଛନ୍ତି। ୧୫୦ରୁ ଅଧିକ ବହିର ସ୍ରଷ୍ଟା ଦାଶ ବେନହୁର ୧୯୮୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଠାରୁ ସମ୍ମାନଜନକ ‘ବାଲ୍ ସାହିତ୍ୟ ପୁରସ୍କାର’ ସମେତ ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। ତାଙ୍କ ବିଷୟରେ ବହୁ ଅଜଣା ତଥ୍ୟ ରହିଛି। ସେମିତି ୫ଟି ତଥ୍ୟ ଏଠାରେ ପରସୁଛୁ। ବ୍ୟକ୍ତିଗତ ଭାବେ ତାଙ୍କୁ ଜାଣି ନଥିବା ପ୍ରଶଂସକ ଓ ପାଠକମାନେ ଏହା ଜାଣି ଆମୋଦିତ ହେବେ ନିଶ୍ଚୟ।
ଏମିତି ନାମ କାହିଁକି?
ବୃତ୍ତିରେ ଅଧ୍ୟାପକ ଶ୍ରୀ ବେନହୁର ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ନାମଟି ଏକ ବହୁପରିଚିତ ଶବ୍ଦ ପାଲଟିଥିବା ବେଳେ ପ୍ରଥମେ ପ୍ରଥମେ ଏହା ଅଜବ ଲାଗୁଥିଲା। ତାଙ୍କର ପିତୃଦତ୍ତ ନାମ ଜିତେନ୍ଦ୍ର ନାରାୟଣ ଦାଶ। ପ୍ରସିଦ୍ଧ ହଲିଉଡ୍ ଚଳଚ୍ଚିତ୍ର ‘ବେନହୁର’ (୧୯୫୯) ଦେଖିବା ପରେ ସେ ନିଜର ନାମ ‘ଦାଶ ବେନହୁର’ ରଖିଥିଲେ। ଏହି ନାମରେ ସେ ରାଜ୍ୟ ଓ ରାଜ୍ୟ ବାହାରେ ସାହିତ୍ୟିକ ଭାବେ ପରିଚିତ। ତାଙ୍କର ଡାକନାମ ‘ଜିତ’।
ଭାଇଭାଗ ନ ନେବାକୁ ସଂକଳ୍ପ
ବର୍ତ୍ତମାନ ଭାଇଭାଗ ପାଇଁ ଗ୍ରାମାଞ୍ଚଳର ଦରିଦ୍ର ପରିବାର ଠାରୁ ଆରମ୍ଭ କରି ବିଶ୍ବର ସବୁଠୁ ବଡ଼ ଧନାଢ଼୍ୟ ପରିବାର ପର୍ଯ୍ୟନ୍ତ ସବୁଠି ବିବାଦ। ସାମାନ୍ୟ ଚାଖଣ୍ଡେ ଭୂଇଁ ପାଇଁ ଭାଇ ଭାଇ ମଧ୍ୟରେ ସଂଘର୍ଷ ହେବା ଓ କୋର୍ଟ କଚେରୀ ଦୌଡ଼ିବା ଏବେ ଏକ ସାଧାରଣ କଥା। ତେବେ ସେ ଭାଇଭାଗ ଆଦୌ ନେବେନାହିଁ ବୋଲି ଯୁବ ବୟସରୁ ନିଷ୍ପତ୍ତି ନେଇ ସାରିଥିଲେ ଦାଶ ବେନହୁର। ଚାରି ଭାଇଙ୍କ ମଧ୍ୟରେ ସେ ସାନ। ସେ ସରକାରୀ ଚାକିରି କରିବା ପରେ ଏଭଳି ଚିନ୍ତା କରିଥିଲେ। ଏବେ ବି ସେ ନିୟମିତ ଗାଁକୁ ଯାଆନ୍ତି ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ତାଙ୍କର ସୁସଂପର୍କ ରହିଛି। ଅନ୍ୟ ଭାଇଙ୍କ ତୁଳନାରେ ତାଙ୍କ ଆର୍ଥିକ ସ୍ଥିତି ଅଧିକ ଉନ୍ନତ ହେତୁ ସେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଥିବା ଏକଦା ଏ ଲେଖକକୁ କହିଥିଲେ
ଏକମାତ୍ର ଓଡ଼ିଆ ଲେଖକଭାବେ ୧୯୯୦ରୁ ୨୦୧୦ ପର୍ଯ୍ୟନ୍ତ ସାରା ଭାରତର ସିବିଏସ୍ଇ ଦଶମଶ୍ରେଣୀ ଇଂରେଜୀ ସାହିତ୍ୟ ବହିରେ ତାଙ୍କର କ୍ଷୁଦ୍ର ଗଳ୍ପ “ଦ ଟ୍ରିବ୍ୟୁଟ୍” ଅନ୍ତର୍ଭୁକ୍ତ ଓ ପଠିତ ଯାହାଥିଲା ଭାଇଭାଗକୁ ନେଇ। ଏ ଗଳ୍ପଟି ନୟନ୍ତିକା ପ୍ରଡକ୍ସନ୍ସ ଦ୍ୱାରା ଚଳଚ୍ଚିତ୍ରାୟିତ, ଯେଉଁଥିରେ ସାଧୁ ମେହେର, ସୁଜାତା ଆନନ୍ଦ ଓ ମିହିର ଦାସ ଆଦି ଅଭିନୟ କରିଛନ୍ତି।
ପ୍ରଖର କଥାଶିଳ୍ପୀ
ଶିଶୁ ସାହିତ୍ୟିକା ଭାବେ ପରିଚିତ ଦାଶ ବେନହୁର ଜଣେ ଶକ୍ତିଶାଳୀ ଗାଳ୍ପିକ ଭାବେ ମଧ୍ୟ ଜଣାଶୁଣା। ଜାଣିଶୁଣି ସେ ଶିଶୁ ସାହିତ୍ୟକୁ ଅଧିକ ଗୁରୁତ୍ବ ଦେଇଥିବା କହନ୍ତି। ଶିଶୁ ସାହିତ୍ୟ ସମାଜରେ ସବୁଠୁ ଅବହେଳିତ ହୋଇ ପଡ଼ିଥିବା ବେଳେ ଏହା ହିଁ ଭବିଷ୍ୟତ ପିଢ଼ି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଯୁକ୍ତି କରନ୍ତି। ଆଜି ଯେଉଁ ଶିଶୁଟି ସାହିତ୍ୟ ପଢ଼ିବା-ବୁଝିବାରୁ ବଞ୍ଚିତ ସେ ବଡ଼ହେବା ପରେ ସାହିତ୍ୟ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବ ବୋଲି ଦାଶ ବେନହୁର କହନ୍ତି। ଶିକ୍ଷାନୀତିରେ ପରିବର୍ତ୍ତନ କରି ଶିଶୁମାନଙ୍କ ଭାଷା-ସାହିତ୍ୟ ଆଗ୍ରହ ବଢ଼ାଇବା ଉଚିତ ବୋଲି ସେ କହି ଆସୁଛନ୍ତି। ଜଣେ ଚିନ୍ତକ ଓ ସୁବକ୍ତା ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି।
ସରକାରଙ୍କୁ ଫେରାଇଲେ ମୁଣ୍ଡପିଛା ଋଣଭାର
ସରକାରଙ୍କୁ ମୁଣ୍ଡପିଛା ଋଣ ରାଶି ଫେରାଇ ଚର୍ଚ୍ଚାକୁ ଆସିଥିଲେ ଦାଶ ବେନହୁର। ଏକ ଆକଳନ ଅନୁସାରେ ରାଜ୍ୟରେ ମୁଣ୍ଡପିଛା ଋଣ ୧୮,୪୯୭.୯୮ ଟଙ୍କା ରହିଛି। ବାପାଙ୍କ ଋଣ ପୁଅ ସୁଝିବା ଭଳି ଜନମଙ୍ଗଳ ରାଷ୍ଟ୍ରରେ ଋଣ ସୁଝିବାରେ ଅସମର୍ଥ ସରକାରଙ୍କ ଋଣବୋଝ ହାଲକା କରିବାକୁ ସମର୍ଥ ନାଗରିକମାନେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ। ନିଜେ ଏହାର ମଙ୍ଗୁଆଳ ସାଜି ୨୦୨୦ ଫେବ୍ରୁଆରୀ ୨୮ ତାରିଖରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୮,୫୦୦ ଟଙ୍କାର ଏକ ଚେକ୍ ପଠାଇଥିଲେ। ସରକାର ଋଣ ସୁଝିବା ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି ଘୋଷଣା କରନ୍ତୁ ଏବଂ ସ୍ବଚ୍ଛଳ ବର୍ଗର ଲୋକେ ନିଜ ସାମର୍ଥ୍ୟ ଅନୁସାରେ ଏ ପାଣ୍ଠିକୁ ଦାନ କରି ରାଜ୍ୟର ଋଣବୋଝ ହାଲକା କରିବାରେ ସହାୟକ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।
୬୭ ବର୍ଷ ବୟସରେ ଗାଁରେ କିଣିଲେ ଘର
ଭୁବନେଶ୍ବରରେ ରହୁଥିବା ଦାଶ ବେନହୁରଙ୍କ ମନ ସବୁବେଳେ ଗାଁରେ। ତାଙ୍କର ପିଲାମାନେ ବିଦେଶରେ ରହନ୍ତି। ଚାକିରିରୁ ଅବସର ପରେ ସେ ଗାଁରେ ଯାଇ ରହିବେ ବୋଲି ସ୍ଥିର କରିଥିଲେ। ତେବେ ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରି ନଥିଲା। ଗାଁ କହିଲେ ଖଣ୍ଡପଡ଼ା, ଗୋଟିଏ କ୍ଷୁଦ୍ର ସହରାଞ୍ଚଳ; ଏଠାରେ ଗ୍ରାମ୍ୟ ପରିବେଶ ଏବେ ବି ବଞ୍ଚିଛି ଆଉ ସହରର କିଛି ସୁବିଧାସୁଯୋଗ ମଧ୍ୟ ଉପଲବ୍ଧ ହେଉଛି। ନିକଟରେ ସେ ସେଠାରେ ଘରଟିଏ କିଣିଛନ୍ତି। ଭୁବନେଶ୍ବର ଠାରୁ ମାତ୍ର ୭୦ କିଲୋମିଟର ଦୂର ଖଣ୍ଡପଡ଼ାରେ ସେ ଅଧା ସମୟ ବିତାଇବାକୁ ସ୍ଥିର କରିଛନ୍ତି।