Odisha Link
Bridging the Missing Links in Odisha

ଲାଭରେ ଚାଲୁଛି ଓଟିଡିସି: ଘରୋଇକରଣ ପାଇଁ ମସୁଧା

ଭୁବନେଶ୍ବର: କରୋନା କାଳରେ ରାଜ୍ୟର ବିଭିନ୍ନ ଶିଳ୍ପ ବିପର୍ଯ୍ୟୟ ହୋଇପଡ଼ିଛି। ସେମଧ୍ୟରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ସବୁଠୁ ଅଧିକା ବିପର୍ଯ୍ୟସ୍ତ ହୋଇଛି। ଏହି କରୋନା କାଳରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବିଭାଗ ସଜାଡ଼ିବା ପରିବର୍ତ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅଭାବନୀୟ କାର୍ଯ୍ୟ କରିବାକୁ ଯାଉଛି। ସରକାରଙ୍କ ଅଧିନରେ ଥିବା ୫ଟି ପାନ୍ଥନିବାସକୁ ବିକ୍ରି କରିଦେବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାିଛି ମଧ୍ୟ। ଲାଭରେ ଚାଲୁଥିବା ଓଟିଡିସିକୁ ବୁଡ଼ାଇବା ପାଇଁ ପର୍ଯ୍ୟଟନ ବିଭାଗର ଅଧିକ‌ାରୀମାନଙ୍କର ଏଭଳି ମନୋଭାବ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ବିଭିନ୍ନ ଆଳ ଦେଖାଇ ପାନ୍ଥନିବାସର ଘରୋଇକରଣ ପାଇଁ ଫାଇଲ୍‌ ପ୍ରସ୍ତୁତ ହୋଇ ସରକାରଙ୍କ ନିକଟକୁ ଯାଇଛି।

ସୂଚନାଥାଉକି, ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧୀନରେ ୨୦ଟି ପାନ୍ଥନିବାସ ଚାଲୁଛି। ଅଧିକାଂଶ ପାନ୍ଥନିବାସ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରମୁଖ ସ୍ଥାନରେ ରହିଛି। ସେଥିରୁ ୨/୩ଟିକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ଲାଭରେ ଚାଲିଛି। ରାଜ୍ୟ ବାହାରର ପର୍ଯ୍ୟଟକମାନେ ନିରାପତ୍ତା ଓ ଗୁଣାତ୍ମକ ସେବା ପାଇଁ ଏଠାରେ ରହିବାକୁ ପସନ୍ଦ କରୁଛନ୍ତି। ୨୦୦୩-୦୪ ପରଠାରୁ ଓଟିଡିସି ରାଜ୍ୟ ସରକାରଙ୍କ ଏକ ଲାଭଜନକ ପିଏସ୍‌ୟୁରେ ପରିଣତ ହୋଇଛି। ପ୍ରଥମ ଥର ପାଇଁ ୨୦୧୭-୧୮ରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିଲା। ଏପରିକି ପାନ୍ଥନିବାସକୁ ଆଇଏସ୍‌ଓ ସାର୍ଟିଫିକେଟ୍‌ ପାଇଁ ମଧ୍ୟ ଆବେଦନ କରାଯାଇଥିଲା

କରୋନା ମାଡ଼ରେ ପର୍ଯ୍ୟଟନ ଭିତ୍ତିଭୂମି ଦୋହଲିଯାଇଥିଲା ବେଳେ ଏହାକୁ ଏକ ସୁଯୋଗ ଭାବି ଦେଇଛି ପର୍ଯ୍ୟଟନ ବିଭାଗ। ଏଭଳି ପରିସ୍ଥିତିରେ ଓଟିଡିସିକୁ ଅଧିକ ଆଗକୁ ନେବା ପରିବର୍ତ୍ତେ ଏହାକୁ ବୁଡ଼ାଇ ଦେବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ବାଲେଶ୍ବର, ଭଦ୍ରକ, ତପ୍ତପାଣି, ଗୋପାଳପୁରରେ ଥିବା ପାନ୍ଥନିବାସ ଓ ଧଉଳିର ପାନ୍ଥିକାକୁ ଘରୋଇକରଣ କରିବାକୁ ଯୋଜନା ଚଲାଇଛି ପର୍ଯ୍ୟଟନ ବିଭାଗ। ପାନ୍ଥନିବା‌ସଗୁଡ଼ିକୁ ଆହୁରି ଅତ୍ୟାଧୁନିକ ଓ ଉନ୍ନତ କରି ଓଡ଼ିଶାର ପରିଚୟ ଭାବେ ଏହାକୁ ସୃଷ୍ଟି କରିବା ପରିବର୍ତ୍ତେ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ ବିଭାଗ ତତ୍ପରତା ପ୍ରକାଶ କରିବା ସବୁଠୁ ଆଶ୍ଚର୍ଯ୍ୟର ବିଷୟ।

୨୦୧୯ ମସିହା ନି୍ବରାଚନ ପୂର୍ବରୁ ପାନ୍ଥନିବାସଗୁଡ଼ିକୁ ଘରୋଇକରଣ କରିବା ପାଇଁ ଏକ ପ୍ରକ୍ରିୟା ବିଭାଗ ସ୍ତରରେ ଆରମ୍ଭ ହୋଇଥିଲା। ବେଶ୍‌ ସତର୍କତାର ସହ ଫାଇଲ୍‌ ଉପରକୁ ଉଠିଥିଲା। ଠିକ୍ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ପୂର୍ବ ସପ୍ତାହ‌େର ‌ହିଁ ଏହି ଅମଲତାନ୍ତ୍ରିକ କାରସାଦି ଦେଖିବାକୁ ମିଳିଥିଲା। କିନ୍ତୁ ତୃତୀୟ ମହଲା ପର୍ଯ୍ୟନ୍ତ ଫାଇଲ୍‌ ପହଞ୍ଚି ପାରି ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଜାଣିବା ପରେ ଫାଇଲ୍‌ ଆଗକୁ ନ ନେବା ପାଇଁ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଫାଇଲ୍‌ ତଳକୁ ଫେରି ଯାଇଥିଲା।

କରୋନା କାଳରେ ପର୍ଯ୍ୟଟନ ଭିତ୍ତିଭୂମିକୁ ବିକାଶ ନ କରି ପାନ୍ଥନିବାସର ଭବିଷ୍ୟତ ବ୍ୟବସାୟ ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ନ କରି ବିଭାଗ ଘରୋଇକରଣ କାମରେ ମାତିଛି। ପର୍ଯ୍ୟଟନ ବିଭାଗର ଏଭଳି କାର୍ଯ୍ୟ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।

Comments are closed.