Odisha Link
Bridging the Missing Links in Odisha

ସଂକ୍ରମଣ ଭୟରେ ବାପାର ଶବକୁ କାନ୍ଧ ଦେଲାନି ପୁଅ

ତାଳଚେର : କରୋନା ସଂକ୍ରମଣ ଭୟ ସମ୍ପର୍କର ସୁତାଖିଅକୁ ଛିଣ୍ଡାଇ ଦେଇଛି। ଦୁଇ ଦୁଇଟା ଭେଣ୍ଡିଆ ପୁଅ ଥାଇ ମଧ୍ୟ ବାପାର ଶବକୁ ପୁଅର କାନ୍ଧ ମିଳିଲାନି। କାନ୍ଧ ମିଳିବା ତ ଦୂରର କଥା, କରୋନା ସନ୍ଦେହରେ ଆଡ଼ ଆଖିରେ ସୁଦ୍ଧା ବାପାର ଶବକୁ ଚାହିଁଲେନି। ୨୦ ଘଣ୍ଟା ଧରି ଡାକ୍ତରଖାନା ବାରଣ୍ଡାରେ ଶବ ପଡ଼ି ରହିବା ପରେ ଶେଷରେ ବିଜୁ ଯୁବ ବାହିନୀ ସହାୟତା ପାଇଁ ଆଗେଇ ଆସିଲେ। ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଯୁବ ବାହିନୀ କର୍ମକର୍ତ୍ତା ଶବକୁ ଡାକ୍ତରଖାନାରୁ ନେଇ ସକ୍ରାର କରିଛନ୍ତି।

ସୂଚନାଯୋଗ୍ୟ ଯେ, ତାଳଚେର ବ୍ଲକ ଅଞ୍ଚଳର ୭୨ ବର୍ଷିୟ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାରେ ଉନ୍ନତି ନ ଆସିବାରୁ ତାଙ୍କୁ ତାଳଚେର ଏମସିଏଲ ସେଣ୍ଟ୍ରାଲ ହସ୍ପିଟାଲକୁ ଫେରାଇ ଅଣାଯାଇଥିଲା। ଭୁବନେଶ୍ୱରରେ ଚିକିତ୍ସା ବେଳେ ତାଙ୍କର ଦେଖାଶୁଣା କରିବାକୁ ଯାଇଥିବା ସାନ ପୁଅ କରୋନା ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ଶନିବାର ରାତିରେ ବାପା ଆଖି ବୁଜିଥିଲେ। ମୃତ ବୃଦ୍ଧ କରୋନା ସଂକ୍ରମିତ ହୋଇନଥିଲେ ହେଁ ତାଙ୍କ ବଡ଼ ପୁଅ ଓ ପରିବାର ତାଙ୍କ ଶବକୁ ନେବାକୁ ଅମଙ୍ଗ ହୋଇଥିଲେ। କରୋନା ସଂକ୍ରମଣ ଭୟରେ ଶବ ପାଖ ସୁଦ୍ଧା ମାଡ଼ି ନଥିଲେ। ତେଣୁ ଦୀର୍ଘ ସମୟ ଧରି ସେଣ୍ଟ୍ରାଲ ହସ୍ପିଟାଲ ଆଇସିୟୁରେ ମୃତଦେହ ପଡ଼ି ରହିଥିଲା। ସେପଟେ ସେଣ୍ଟ୍ରାଲ ହସ୍ପିଟାଲରେ ଗୋଟିଏ ଆଇସିୟୁ ଥିବାରୁ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଥିଲା। ସେଣ୍ଟ୍ରାଲ ହସ୍ପିଟାଲ ପକ୍ଷରୁ ସକାଳ ସୁଦ୍ଧା କୌଣସି ବ୍ୟବସ୍ଥା ହୋଇପାରିନଥିଲା । ଏ ସମ୍ପର୍କରେ ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଦିନ ସାଢେ଼ ୧ଟାରେ ବିଜୁ ଯୁବ ବାହିନୀ ପକ୍ଷରୁ ଯୁବ ନେତା ରାଜେଶ ଦାସଙ୍କ ନେତୃତ୍ୱରେ ଏକ ଆମ୍ବୁଲାନ୍ସରେ ଶବ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଥିଲା । ଏକ ଜେସିବି ସହାୟତାରେ ମାଟି ଖୋଳି ଶବ ପୋତି ଦିଆଯାଇଥିଲା।

Comments are closed.