Odisha Link
Bridging the Missing Links in Odisha

ସରକାର ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରନ୍ତୁ : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : ଗତ କିଛିଦିନ ତଳେ ଉପକୂଳ ଅଞ୍ଚଳ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଘୁଚାପ ବର୍ଷା ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଜମିରେ ପାଣି ଥିବାରୁ ରୁଆ ବେଉଷଣ କାର୍ଯ୍ୟ ବନ୍ଦ ହୋଇଛି ।

ଅନ୍ୟପଟେ ରୁଆ ଯାଇଥିବା ଧାନ ଜମିରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଧାନ ଗଛ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ଏନେଇ ଚାଷୀକୂଳ ମନରେ ଅନିଶ୍ଚିତତା ବାତାବରଣ ସୃଷ୍ଟି ହୋଇଛି । ଏହି ପାଣିକୁ ନିଷ୍କାସନ କରିବା ପାଇଁ ରାଜ୍ୟସରକାର ଆଜି ପର୍ଯ୍ୟନ୍ତ କୌଣସି ସଠିକ୍ ପଦ୍ଧତି ନଆପଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି । କରୋନା ମୁକାବିଲା କରୁଥିବା ସମୟରେ ଆର୍ଥିକ ଅଭିବୃଦ୍ଧି ୬ ପ୍ରତିଶତରୁ କମ ଥିବାବେଳେ ଚାଷୀଭାଇମାନେ ଦିନ ରାତି କଠିନ ପରିଶ୍ରମ କରି ରାଜ୍ୟକୁ ଆର୍ଥିକ ଅଭିବୃଦ୍ଧିରେ ନିଜକୁ ସାମିଲ କରିଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀର ଅଣ୍ଟା ଭାଙ୍ଗି ପଡିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଳମଗ୍ନ ଜମିର କ୍ଷୟକ୍ଷତି ଆକଳନ କରାଯାଇ ନାହିଁ କି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇନାହିଁ ।

ଆଗାମୀ ୨୧ ତାରିଖରେ ଆଉ ଥରେ ଲଘୁଚାପ ବର୍ଷା ହେବାର ସମ୍ଭାବନା ଅଛି । ସରକାର ଏନେଇ କଣ ଯୋଜନା କରିଛନ୍ତି ତାହା ଚାଷୀ ଭାଇ ମାନଙ୍କୁ ଅବଗତ କରାନ୍ତୁ। ବର୍ଷାର ପରିମାଣ ବୃଦ୍ଧି ହେଲେ ଧାନ ଫସଲ ପୂରା ଧୋଇଯିବାର ଆଶଙ୍କା ରହିଛି । ବିପତି ସମୟରେ ରାଜ୍ୟସରକାର ଚାଷୀଙ୍କ ପାଖରେ ଛିଡା ହୋଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜଳମଗ୍ନ ଜମିର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଶ୍ରୀ ନାଏକ ଦାବୀ କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

Comments are closed.