ହିନ୍ଦୁ ଯୁବତୀଙ୍କୁ ବିବାହ କରାଇଲେ ମୁସଲମାନ ବ୍ୟକ୍ତି

ମହାରାଷ୍ଟ୍ର: ସମ୍ପର୍କ ଏକ ମଧୁର ଶବ୍ଦ। ଏପରିକି କିଛି ସମ୍ପର୍କ ଜାତି ଧର୍ମରୁ ଉର୍ଦ୍ଧ୍ବରେ ରହିଥାଏ। ମହାରାଷ୍ଟ୍ରର ଏକ ଚିତ୍ର ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ସବୁ ଧର୍ମର ଲୋକଙ୍କ ହୃଦୟ ଜିତିଛି। ଏହି ଫଟୋଟି ହେଉଛି ଅହମ୍ମଦନଗରର ବାବାଭାଇ ପଠାନର। ଯିଏକି ତାଙ୍କୁ ରାକ୍ଷୀ ବାନ୍ଧୁଥିବା ଭଉଣୀର ଝିଅଙ୍କୁ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଦେଇଛନ୍ତି। ବାବା ଭାଇ ମାମୁଁ ହିସାବରେ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ। ଯେତେବେଳେ ୨ ଭାଣିଜିଙ୍କର ବିଦାୟ ବେଳା ଆସିଲା ସେତେବେଳେ ମନର କୋହ ରଖି ପାରି ନଥିଲେ ବାବାଭାଇ। ଭାଣିଜି ମାନେ ମଧ୍ୟ ବାବାଭାଇଙ୍କୁ କୁଣ୍ଢେଇ ଧରି କାନ୍ଦିଥିଲେ। ଯେଉଁ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବାବାଭାଇ ପଠାନ ମହାରାଷ୍ଟ୍ରର ଅହମ୍ମଦନଗରର ବୋଡେଗାଭ ଜିଲ୍ଲାରେ ରୁହନ୍ତି। ବିବାହିତ ଝିଅମାନଙ୍କର ମା’ ଭୁସାରେଙ୍କର ପ୍ରକୃତ ଭାଇ କେହି ନାହିଁନ୍ତି। ହେଲେ ପ୍ରତିବର୍ଷ ସେ ରାକ୍ଷୀକୁ ବାବୁଭାଇ ହାତରେ ରାକ୍ଷୀ ବାନ୍ଧି ଥାଆନ୍ତି। କିଛି ବର୍ଷ ପୂର୍ବେ ଭୁସାରେଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେବେଠାରୁ ବାବାଭାଇଙ୍କ ପରିବାରର ସଦସ୍ୟ ଭାବେ ଭୁସାରେ ଏବଂ ତାଙ୍କ ଝିଅମାନେ ଚଳି ଆସୁଥିଲେ।
ଯେତେବେଳେ ଉଭୟ ଝିଅଙ୍କ ବିବାହ କଥା ଆସିଲା। ବାବାଭାଇ ନିଜେ ଟଙ୍କା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରିଥିଲେ। କେବଳ ଏତିକି ନୁହେଁ, ସମାଜକୁ ଖାତିର ନକରି ସେ କନ୍ୟାଦାନ ମଧ୍ୟ କରିଥିଲେ। ବର୍ତ୍ତମାନ ସମୟରେ ଦେଶରେ ଧର୍ମ, ଜାତିକୁ ନେଇ ଅନେକ ଖବର ପ୍ରସାରିତ ହେଉଛି। ହେଲେ ଏଭଳି ଖବର ଲୋକଙ୍କ ହୃଦୟ ଜିତିବା ସହ ଭାଇରାଲ ହେବାରେ ଲାଗିଛି।
Comments are closed.