Odisha Link
Bridging the Missing Links in Odisha

ଜମ୍ମୁର ଭାରତ-ପାକିସ୍ତାନ ସୀମାନ୍ତରେ ସୁଡଙ୍ଗ ଠାବ

ନୂଆଦିଲ୍ଲୀ: ଜମ୍ମୁର ଭାରତ-ପାକିସ୍ତାନ ସୀମାନ୍ତରେ ଏକ ସୁଡଙ୍ଗ ଠାବ କରିଛି ବିଏସ୍‌ଏଫ୍। ଏକ ସୁଡ଼ଙ୍ଗ ଠାବ ହୋଇଥିବା ନେଇ ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଭାରତୀୟ ପାର୍ଶ୍ବର ସୀମାନ୍ତ ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏହି ସୁଡ଼ଙ୍ଗଟିକୁ ଗୁରୁବାର ଦିନ ଜମ୍ମୁର ସାମ୍ବା ସେକ୍ଟର୍‌ରେ ବିଏସ୍ଏଫ୍ ପାଟ୍ରୋଲ୍‌ ଟିମ୍ ଠାବ କରିଥିଲେ। ସୁଡ଼ଙ୍ଗଟିର ଗଭୀରତା ପ୍ରାୟ ୨୫ ଫୁଟ୍‌ ହେବ।

ଅନୁପ୍ରବେଶରେ ସହାୟତା କରୁଥିବା ଏହି ଧରଣ ଆଉ କୌଣସି ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ‘ବିଏସ୍‌ଏଫ୍’ ଟିମ୍‌ ସମ୍ପୃକ୍ତ ଅଞ୍ଚଳରେ ସନ୍ଧାନ ଜାରି ରଖିଛି। ଏନେଇ ‘ବିଏସ୍‌ଏଫ୍’ର ମହାନିର୍ଦେଶକ ରାକେଶ ଅସ୍ଥାନା ତାଙ୍କ ସୀମାନ୍ତ କମାଣ୍ଡର୍‌ମାନଙ୍କୁ ନିର୍ଦେଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଅନୁପ୍ରବେଶ ନିରୋଧୀ ଗ୍ରିଡ୍‌ ଅତୁଟ ରହିଛି। ବିଏସ୍‌ଏଫ୍‌ କମାଣ୍ଡର୍‌ ସୁଡ଼ଙ୍ଗଟିକୁ ଯାଞ୍ଚ କରି ତା’ ମୁହଁରୁ ୮/୧୦ଟି ପ୍ଲାଟିକ୍ ବାଲିବସ୍ତା ପାଇଥିଲେ। ସେ ପ୍ଲାଷ୍ଟିକ୍ ବସ୍ତାରେ କରାଚି ଏବଂ ଶକରଗଡ଼ ଆଦି ଛାପା ଯାଇଥିଲା। ଏହି ସୁଡ଼ଙ୍ଗ ଠାରୁ ପ୍ରାୟ ୪୦୦ ମିଟର ଦୂରରେ ନିକଟତମ ପାକିସ୍ତାନୀ ବର୍ଡର୍‌ ପୋଷ୍ଟ୍‌ ଅବସ୍ଥିତ।
ପୂର୍ବରୁ ମଧ୍ୟ ଜମ୍ମୁ ସୀମାନ୍ତରେ ବହୁ ସୁଡ଼ଙ୍ଗମାନ ଠାବ କରାଯାଇଛି।