ଆଜି ଜାତୀୟ କ୍ରୀଡ଼ା ଦିବସ

ଓଏଲ୍ବ୍ୟୁରୋ: ଆଜି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ଯେକ ବର୍ଷ ୨୯ ଅଗଷ୍ଟ ତାରିଖକୁ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନରେ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ୧୯୯୫ ମସିହା ଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରିଆସୁଛି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଦିନ ଭାରତର ରାଷ୍ଟ୍ରପତି ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାରରେ ସମ୍ମାନିତ କରିଥାନ୍ତି।
ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦ ଥିଲେ ଭାରତୀୟ ହକିର ଚାନ୍ଦ। ବିଶ୍ବ ହକିର ଉଜ୍ଜ୍ବଳ ତାରକା। ସେ ପ୍ରାୟତଃ ରାତି ସମୟରେ ଅଭ୍ୟାସ କରୁଥିବାରୁ ସାଥୀ ଖେଳାଳିମାନେ ତାଙ୍କ ନାଁ ରଖିଥିଲେ ଧ୍ୟାନଚାନ୍ଦ ରଖିଥିଲେ। ଅଖଣ୍ଡ ଭାରତର ଏହି ରତ୍ନ କେବଳ ମାତ୍ର ଜଣେ ଖେଳାଳି ନଥିଲେ, ସେ ହକି ପଡ଼ିଆର ରହସ୍ୟମୟ ଯାଦୁଗର ଥିଲେ। ଅସାଧାରଣ ଷ୍ଟିକ୍ ଚାଳନା, ବିଚକ୍ଷଣ ବଲ୍ ନିୟନ୍ତ୍ରଣ ଓ ଗୋଲ୍ ବର୍ଷାର ଅବିଶ୍ବସନୀୟ କଳା ପାଇଁ କ୍ରୁର ହିଟଲର ବି ତାଙ୍କ ପ୍ରଶଂସକ ପାଲଟି ଯାଇଥିଲେ।
ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହେଉଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଭର୍ଚୁଆଲ୍ ପ୍ଳାଟଫର୍ମରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଭାରତୀୟ ତାରକା କ୍ରିକେଟର୍ ରୋହିତ ଶର୍ମା, ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍, ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିୟାପାନ୍ନ ଥାଙ୍ଗାଭେଲୁ, ମହିଳା ଟେବୁଲ ଟେନିସ୍ ଖେଳାଳି ମାନିକା ବାତ୍ରା, ଭାରତୀୟ ହକି ଦଳର ଅଧିନାୟିକା ରାଣୀ ରାମପାଲ୍ ଖେଳରତ୍ନ ପୁରସ୍କାର ପାଇବେ। ସେହିପରି ୨୭ଜଣ ଅର୍ଜୁନ ପୁରସ୍କାର ପାଇବେ। ଓଡିଶାର ଦୁତି ଚାନ୍ଦ୍ଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଉପସ୍ଥିତ ରହିବେ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ୯ଟି ସେଣ୍ଟରରୁ ଜାତୀୟ କ୍ରୀଡ଼ା ପୁରସ୍କାର ହାସଲ କରିଥିବା କ୍ରୀଡ଼ାବିତ୍ମାନେ ଭର୍ଚୁଆଲ୍ ପ୍ଲାଟଫର୍ମରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ୯ଟି ସେଣ୍ଟର ହେଲା ଦିଲ୍ଲୀ, ମୁମ୍ବଇ, କଲକାତା, ଚଣ୍ଡିଗଡ଼, ବେଙ୍ଗାଲୁରୁ, ପୁଣେ, ସୋନିପତ୍, ହାଇଦରାବାଦ୍ ଓ ଭୋପାଳ। ଜାତୀୟ ପୁରସ୍କାର ବିଜେତାଙ୍କୁ ନିମନ୍ତେ ଟ୍ରଫି, ସାର୍ଟିଫିକେଟ୍ ଓ ବ୍ଲେଜର ସାଇ ତରଫରୁ ୯ଟି ଯାକ ସେଣ୍ଟରକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଆଇପିଏଲ୍ରେ ଖେଳିବାକୁ ୟୁଏଇରେ ଥିବାରୁ ଖେଳରତ୍ନ ପୁରସ୍କାର ବିଜେତା ରୋହିତ ଶର୍ମା ଓ ଅର୍ଜୁନ ପୁରସ୍କାର ବିଜେତା ଈଶାନ୍ତ ଶର୍ମା ଏହି ଉତ୍ସବରେ ଯୋଗ ଦେଇପାରିବେ ନାହିଁ। ସେମାନଙ୍କୁ ପରବର୍ତ୍ତୀ ସମୟରେ ଟ୍ରଫି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।