Odisha Link
Bridging the Missing Links in Odisha

ଯାଜପୁର ଜିଲ୍ଲା ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିର ପ୍ରଭାବ ଅଧିକା ରହିଛି । ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ୩୦ରୁ ଅଧିକ ଘାଇ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକରେ ବନ୍ୟା ଜଳ ମାଡିଯିବାରୁ ହଜାର ହଜାର ସଂଖ୍ୟାରେ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗୋପାଳପୁର ପଞ୍ଚାୟତ ଗସ୍ତ କରି ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମୀର ମହାନ୍ତି ଡଙ୍ଗାରେ ବାଲିଚନ୍ଦନପୁର ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ବନ୍ୟା ପ୍ରପୀଡିତ ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ରିଲିଫ ସାମଗ୍ରୀ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଦାବୀ କରିଛନ୍ତି ।

ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ନଥିବାରୁ ଗୋପାଳପୁର ପଞ୍ଚାୟତର ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି । କିଛି ମାଟି ଘର ଭାଙ୍ଗି ଯାଇଛି । ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ମହଜୁଦ୍ ନାହିଁ । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଖରେ ଗୋ ଖାଦ୍ୟ ପହଞ୍ଚି ନାହିଁ । ବନ୍ୟା ଜଳ ନିଷ୍କାସନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ । ବନ୍ୟାର ୪ ଦିନ ପରେ ବି ପ୍ରଶାସନର କୌଣସି ଅଧିକାରୀ ଏହି ଅଞ୍ଚଳକୁ ଆସିନାହାଁନ୍ତି । ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ । ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ । ଏହା ସତ୍ୱେ ଜିଲ୍ଲାରେ ୩୦ଟି ଘାଇ କିପରି ସୃଷ୍ଟି ହେଲା ? ଖୋଦ୍ ଜିଲ୍ଲାପାଳ ଗୋଟିଏ ଘାଇ ମନୁଷ୍ୟକୃତ ବୋଲି କହିବାରୁ ସ୍ପଷ୍ଟ ଜଣାପଡୁଛି କି, ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିଲେ । ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ଦୁର୍ବଳ ନଦୀବନ୍ଧର ସୁଦୃଢୀକରଣ ନାଁରେ ନିମ୍ନମାନର ବନ୍ଧ କାମ କରାଯାଇଛି । ନିମ୍ନମାନର କାମ ଯୋଗୁଁ ବନ୍ଧରେ ଘାଇ ହୋଇଛି । ଏହି ବନ୍ୟା ମନୁଷ୍ୟକୃତ ବୋଲି ସମୀର ମହାନ୍ତି କହିଛନ୍ତି।

ଏହା ସହିତ ଜଳମଗ୍ନ ହୋଇଥିବା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରିବା ସହ କ୍ଷୟକ୍ଷତି ଫସଲର ଆକଳନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ସମୀର ମହାନ୍ତି କହିଛନ୍ତି । ପୂର୍ବରୁ ବନ୍ୟା ବିପତି ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ସମରୀ ମହାନ୍ତି ଆହ୍ୱାନ ଦେଇଥିଲେ । ଏହି ପ୍ରତିନିଧୀ ଦଳ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ,ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ପବିତ୍ର ଦାସ ପ୍ରମୁଖ ସାମିଲ ଥିଲେ ।

Comments are closed.