ବୁଲା କୁକୁରଙ୍କ ପାଇଁ ଫେଲ୍ ମାରିଲା ଲୁଟ୍ ଉଦ୍ୟମ

ଭୁବନେଶ୍ୱର: ଜନଜୀବନ ରକ୍ଷା କରିବାରେ ସହାୟକ ହେଉଛନ୍ତି ମଣିଷର ବିଶ୍ୱାସୀ ପ୍ରାଣୀ କୁକୁର । କେତେବେଳେ ଘର ଭିତରକୁ ପଶୁ ଥିବା ବିଷଧର ସାପ ସହ ଲଢେ଼ଇ କରି ଜୀବନ ଦେଉଛି ତ ଆଉ ପୁଣି କେତେବେଳେ ମରଣ ମୁହଁରୁ ତା’ମାଲିକକୁ ବଞ୍ଚାଉଛି। ଏହି ବିଶ୍ବାସୀ ପ୍ରାଣୀ ଯୋଗୁ ରାଜଧାନୀରେ ଏକ ବଡ଼ ଧରଣର ଡକାୟତି ବ୍ୟର୍ଥ ହୋଇଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅଧୀନ ହାଉସିଂ ବୋର୍ଡ କଲୋନୀରେ। ବନ୍ଧୁକ ଦେଖାଇ ଉକ୍ତ ଅଞ୍ଚଳକୁ ଲୁଟପାଟ କରିବାକୁ ଆସିଥିବା କିଛି ଦୁର୍ବୃର୍ତ୍ତଙ୍କ ଯୋଜନା ବ୍ୟର୍ଥ ହୋଇଛି। ସେମାନଙ୍କ ବୁଲା କୁକୁର ଉଚିତ ଜବାବ ଦେଇଛନ୍ତି। କୁକୁର କାମୁଡ଼ିରେ ଦୁର୍ବୃତ୍ତ ଲହୁଲୁହାଣ ହୋଇଛନ୍ତି। ରାସ୍ତାରେ ପଡିଛି ରକ୍ତର ଛିଟା। ରାସ୍ତାସାରା ରକ୍ତ ଛିଟା ଦେଖି ମଙ୍ଗଳବାର ଉକ୍ତ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ି୍ଥିଲେ। ଖବର ଖଣ୍ଡଗିରି ପୁଲିସ ପହଞ୍ଚି ଘଟଣା ସ୍ଥଳରୁ ଖେଳନା ବନ୍ଧୁକ ଜବତ କରି ତଦନ୍ତ କରୁଛି।
ପୁଲିସ ସୂଚନା ଅନୁସାରେ ଦୁଇ ଲୁଟିଆ ବନ୍ଧୁକ ନେଇ ଉକ୍ତ ଅଞ୍ଚଳରୁ ଲୁଟପାଟ କରିବାକୁ ସୋମବାର ରାତିରେ ଆସିଥିଲେ। ସେମାନେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଦୁର୍ବୃତ୍ତଙ୍କୁ ବୁଲା କୁକୁର ଘେରି ଯାଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ସେମାନେ ଗାଡ଼ି ନେଇ ପଳାଇବାକୁ ଉଦ୍ୟମ କରୁଥିଲେ। ତଥାପି ସେମାନଙ୍କୁ କୁକୁର ଗୋଡେ଼ଇ ଗୋଡେ଼ଇ କାମୁଡ଼ିଥିଲେ ।