କରୋନା କଟକଣା କମିଛି, ସଂକ୍ରମଣ ନୁହେଁ: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର : କୋଭିଡ୍ ମୁକାବିଲା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରେସ୍ ମିଟ୍। ପ୍ରେସ୍ ମିଟ୍ରେ ଏସ୍ଆର୍ସି ସୂଚନା ଦେଇ କହିଛନ୍ତି ଯେ, ଅନ୍ଲକ୍-୪ ରେ କଟକଣା କୋହଳ ହେବା ପରେ ଲୋକମାନେ କୋଭିଡ ନିୟମକୁ ଠିକଭାବେ ପାଳନ କରୁନାହାନ୍ତି। ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତ୍ୱ ପାଳନ କରୁନାହାନ୍ତି, ଅନାବଶ୍ୟକ ଭାବେ ବଜାରରେ ବୁଲୁଛନ୍ତି। କିଛି ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ଏବଂ ସଂକ୍ରମଣ ସଂଖ୍ୟା ବୃଦ୍ଧିି ପାଉଛି।
ଏଥିସହ ଶ୍ରୀ ଜେନା କହିଛନ୍ତ ଯେ, ଦେଶ ଓ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି। ରାଜ୍ୟରେ ଦୈନିକ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ମାର୍ଚ୍ଚମାସ ପରଠାରୁ ସରକାର ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ ଲାଗୁ କରିଥିଲେ। ଏହାର ଗୁରୁତର ପ୍ରଭାବ ଆମ ଅର୍ଥନୀତି ଓ ଲୋକଙ୍କ ଜୀବିକା ଉପରେ ପଡ଼ିଛି। ଏଣୁ କେବଳ ସରକାର ନୁହଁନ୍ତି, ଲୋକମାନଙ୍କୁ ମଧ୍ୟ ଦାୟିତ୍ୱବାନ ହୋଇ କାମ କରିବାକୁ ହେବ। ତିନୋଟି ଉପାୟ ଜରିଆରେ ସଂକ୍ରମଣକୁ ରୋକିହେବ। ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ୱାସ୍ଥ୍ୟ ସଚେତନତା-ଯଥା ହାତ ଧୋଇବା, ସାନିଟାଇଜର ବ୍ୟବାହର ଦ୍ବାରା କରୋନା ସଂକ୍ରମଣକୁ ଦମନ କରିବ।
କଟକଣା କୋହଳ ହେବା ପରେ ଟୁଇନସିଟିରେ କେତେକ ସ୍ଥାନରେ ଲୋକମାନଙ୍କ ଆଚରଣର ଭିଡିଓ ରେକର୍ଡିଂ କରାଯାଇଥିଲା। ଏଥିରୁ ଦେଖାଗଲା ଯେ ଲୋକମାନେ କୋଭିଡ କଟକଣାକୁ ଠିକଭାବେ ପାଳନ କରୁନାହାନ୍ତି। ଲୋକେ ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତ୍ୱ ପାଳନ କରୁନାହାନ୍ତି, ଅନାବଶ୍ୟକ ଭାବେ ବଜାରରେ ବୁଲୁଛନ୍ତି। ଯାହା ସଂକ୍ରମଣ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି।