Odisha Link
Bridging the Missing Links in Odisha

ଗିରଫ ହେଲେ ରିୟା

ମୁମ୍ବାଇ: ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ। ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନ୍‌ସିବି। ଆଜି ତୃତୀୟ ଦିନ ଜେରା କରିବା ସମୟରେ ଏନ୍‌ସିବି ରିୟାଙ୍କୁ ଗିରଫ କରିଛି। ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି। ଡ୍ରଗ୍ସ କାରବାର ମାମଲାରେ ଏନ୍‌ସିବି ମୋଟ ୧୦ ଜଣଙ୍କୁ ଗିରଫ କରିଛି।

ପୂର୍ବରୁ ଡ୍ରଗ୍‌ସ ଲିଙ୍କ ମାମଲାରେ ଏନସିବି ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତ ଘର ପରିଚାଳକ ସାମୁଏଲ ମିରାଣ୍ଡା, ଅନୁଜ କେଶଓ୍ବାନୀ ନାମକ ଜଣେ ଡ୍ରଗ୍‌ସ ଡିଲରଙ୍କୁ ଗିରଫ କରିଛି। ରିୟା ଓ ସୌଭିକ ଡ୍ରଗ୍‌ସ ଡିଲରଙ୍କ ସହ ଡ୍ରଗ୍‌ସ ପାଇଁ କୋଅର୍ଡିନେସନ୍ କରୁଥିବା କଥା ରିୟା ମାନିଛନ୍ତି। ଭାଇ ସୌଭିକଙ୍କ ଦ୍ବାରା ସୁଶାନ୍ତଙ୍କ ପାଇଁ ରିୟା ଡ୍ରଗ୍‌ସ ମଗାଉଥିଲେ। ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିବା ନେଇ ଜେରା ବେଳେ ସୂଚନା ଦେଇଛନ୍ତି ରିୟା। ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କୁ ସମନ କରାଯିବ।

ଗିରଫ ପରେ ରିୟାଙ୍କୁ କୋର୍ଟରେ ହାଜର କରାଯିବ ଓ ଅଧିକ ତଦନ୍ତ ନିମନ୍ତେ ତାଙ୍କୁ ହାଜତକୁ ନେବା ପାଇଁ ଏନସିବି ପକ୍ଷରୁ ଆବେଦନ କରାଯିବ। ହାଜତକୁ ନିଆଯିବା ପରେ ତାଙ୍କୁ ପୂର୍ବରୁ ଗିରଫ ତାଙ୍କ ଭାଇ ସୌଭିକ, ସାମୁଏଲ ମିରାଣ୍ଡା ଓ ଦିବେଶ ସାଓ୍ଵନ୍ତଙ୍କ ସହ ଏକାଠି ବସାଇ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି। ଏନସିବି ରବିବାର ଦିନ ରିୟାଙ୍କୁ ୬ ଘଣ୍ଟା ଏବଂ ସୋମବାର ଦିନ ୮ ଘଣ୍ଟା ଜେରା କରିଥିଲା।