କରୋନା ଟିକା: ଋଷରୁ ଭାରତକୁ ଆସିବ ୧୦ କୋଟି ସ୍ପୁଟନିକ-ଭି, ଡକ୍ଟର ରେଡ୍ଡୀ ସହ ଚୁକ୍ତି

ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର। ଋଷରୁ ଆସିବ ୧୦ କୋଟି ସ୍ପୁଟନିକ-ଭି କରୋନା ଟିକା। ଏନେଇ ଭାରତର ପ୍ରମୁଖ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡି ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ଏହି ଭାକସିନର କ୍ଲିନିକାଲ ଟ୍ରାଏଲ୍ ଭାରତରେ ମଧ୍ୟ ଆରମ୍ଭ ହେବ। ଏପରିକି ଡାକ୍ତର ରେଡ୍ଡି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର ପରୀକ୍ଷଣ କରିବେ। ତେବେ ଡିଜିସିଆଇର ଅନୁମୋଦନ ପରେ ହିଁ ପରୀକ୍ଷଣ ଓ ଭାକସିନ୍ ଯୋଗାଣରୁ ମଞ୍ଜୁରୀ ମିଳିବ।
ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଭାକସିନ୍ ଯୋଗାଣ ନେଇ ପୂର୍ବରୁ କାଜାକିସ୍ତାନ, ବ୍ରାଜିଲ୍ ଓ ମେକ୍ସିକୋ ସହ ଚୁକ୍ତି ସ୍ୱାକ୍ଷରିତ କରିଥିଲା। ଏବେ ଭାରତ ସହ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି।କରୋନା ଭାକସିନ୍ ଋଷିଆ ସର୍ବପ୍ରଥମେ ବାହାର କରିଥିବା ଦାବି କରୁଛି। ଏହି ଭାକସିନକୁ ୪୦ ହଜାର ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି। ଅଗଷ୍ଟ ୨୬ରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି।