Odisha Link
Bridging the Missing Links in Odisha

ପୁଲୱାମା ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ ପଣ୍ଡ

ଶ୍ରୀନଗର: ପୁଲୱାମା ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ସେନା। ଦକ୍ଷିଣ କାଶ୍ମୀରର ଅବନ୍ତିପୁରାରେ ଗୁରୁବାର ସୁରକ୍ଷାକର୍ମୀ ୨ଟି ସ୍ଥାନରେ ମାଟି ତଳେ ପୋତା ଯାଇଥିବା ବିପୁଳ ବିସ୍ଫୋରକ, ଗେଲଟିନ୍ ଷ୍ଟିକ୍ସ ଏବଂ ଡିଟୋନେଟର ଜବତ କରିବା ସହ ନଷ୍ଟ କରିଛନ୍ତି। ୨୫୦ ଲିଟରର ୨ଟି ପ୍ଲାଷ୍ଟିକ ପାଣି ଟାଙ୍କିରେ ଏହି ବିସ୍ଫୋରକକୁ ମାଟି ତଳେ ପୋତା ଯାଇଥିଲା। ଗୋଟିଏ ଟ୍ୟାଙ୍କରେ ୪୧୬ ହାଇ ସେନସିଟିଭ୍ ଗେଲଟିନ୍ ଷ୍ଟିକ୍ସ ଥିବା ବେଳେ ଅନ୍ୟଟିରେ ୫୦ଟି ଡିଟୋନେଟର ଲୁଚାଇ ରଖାଯାଇଥିଲା।

ପୁଲୱାମା ଜିଲ୍ଲାର ଅବନ୍ତିପୁରା ଗଡ଼ିଖାଲ ଜଙ୍ଗଲରୁ ବିପୁଳ ବିସ୍ଫୋରକ ମିଳିବା ପରେ ଏବେ ସେଠାରେ ସେନା ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଜବତ ସାମଗ୍ରୀର ପରିବହନ କ୍ଷତିକାରକ ହୋଇଥିବାରୁ ଘଟଣାସ୍ଥଳରେ ସେସବୁକୁ ବୋମା ନିଷ୍କ୍ରିୟକାରୀ ଦଳ ଡିଫ୍ୟୁଜ୍ କରି ଦେଇଛନ୍ତି।ଏହା ଜୈଶ୍ ଏ ମହମ୍ମଦ ଆତଙ୍କୀ ସଂଗଠନ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି।

ପୋଲିସ, ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ୨୦୧୯ ଫେବ୍ରୁଆରୀ ୧୪ରେ ଆତଙ୍କବାଦୀ କରିଥିବା ପୁଲୱାମା ଆକ୍ରମଣ ଭଳି ଆକ୍ରମଣ ପାଇଁ ଏଭଳି ଯୋଜନା କରାଯାଇଥିବା ସେନା ଅଧିକାରୀ ସୂଚନା ଦେଇଛନ୍ତି। ଗତବର୍ଷ ହୋଇଥିବା ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ।

Comments are closed.