Odisha Link
Bridging the Missing Links in Odisha

ଆଜିଠୁ ଆଇପିଏଲ୍‌-୧୩ ସଂସ୍କରଣ ଆରମ୍ଭ, ମୁମ୍ବାଇ-ଚେନ୍ନାଇ ଉଦ୍‌ଘାଟନୀ ମୁକାବିଲା

ଆବୁଧାବି: ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଜି ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ। ଆଇପିଏଲ୍‍ ହେଉଛି ବିଶ୍ୱର ସବୁଠାରୁ ଧନଶାଳୀ ତଥା ଲୋକପ୍ରିୟ ଟ୍ୱେଣ୍ଟି-୨୦ କ୍ରିକେଟ୍‍ ଲିଗ୍‍। ବିଶ୍ୱର ୧୦ରୁ ଅଧିକ ଦେଶର ଖେଳାଳି ଏଥିରେ ଖେଳିବାକୁ ଯାଉଛନ୍ତି। ୮ଟି ଫ୍ରାଞ୍ଚାଇଜି ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ୟୁଏଇର ୩ଟି ସହର ଦୁବାଇ, ଆବୁଧାବି ଓ ଶାରଜାରେ ଆସନ୍ତା ୫୩ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୭.୩୦ ରେ ମ୍ୟାଚ୍ ଆରମ୍ଭ ହେବ। କୋଭିଡ -୧୯ କାରଣରୁ ଏଥର ଆଇପିଏଲ ବିନା ଦର୍ଶକରେ ଷ୍ଟାଡିୟମରେ ଖେଳାଯିବ। ନଭେମ୍ବର ୧୦ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ସହ ଆଇପିଏଲ୍‌ ଉଦ୍‌ଯାପିତ ହେବ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ସଂସ୍କରଣରେ ଡବଲ୍‌ ହେଡର୍‌ (ଶନିବା‌ର ଓ ରବିବାର ଦୈନିକ ୨ ମ୍ୟାଚ୍‌) ସଂଖ୍ୟା ୧୦କୁ ହ୍ରାସ କରାଯାଇଛି। ଫଳରେ ୟୁଏଇରେ ମୋଟ ୫ଟି ଶନିବାର ଓ ରବିବାର ଦୁଇଟି ଲେଖାଁଏ ମ୍ୟାଚ୍‌ ଦେଖିବାକୁ ମିଳିବ। ୮ଟି ଫ୍ରାଞ୍ଚାଇଜ୍‌ (ମୁମ୍ବାଇ ଇଣ୍ଡିଆନ୍‌ସ, ଚେନ୍ନାଇ ସୁପର କିଙ୍ଗ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ, ରାଜସ୍ଥାନ ରୟାଲ୍‌ସ, ସନ୍‌ରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ୍‌ସ, କୋଲ୍‌କାତା ନାଇଟ୍‌ ରାଇଡର୍ସ) ଟ୍ରଫି ପାଇଁ ଲଢ଼ିବେ। ପରମ୍ପରା ମୁତାବକ ଗତଥରର ବିଜେତା ଓ ଉପବିଜେତା ଉଦ୍‌ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ। ସେହିଦୃଷ୍ଟିରୁ ଶନିବାରର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଖେଳାଯିବ।

ସାରାବିଶ୍ୱ ମହାମାରୀ କରୋନା କବଳରେ ଥିବା ଭାରତରେ ଏହାର ଆୟୋଜନ ଅସମ୍ଭବ ହୋଇପଡ଼ିଥିଲା। ଶେଷରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ୟୁଏଇରେ ଆଇପିଏଲ୍‍ ପରି ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ଥର ଯେ ସମଗ୍ର ଆଇପିଏଲ ଭାରତ ବାହାରେ ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ୨୦୦୯ ରେ ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ଆୟୋଜିତ ହୋଇଥିଲା। ସେହି ସମୟରେ ୨୦୧୪ ରେ, ଆଇପିଏଲର ପ୍ରଥମାର୍ଦ୍ଧ ୟୁଏଇରେ ଖେଳାଯାଇଥିଲା।

 

Comments are closed.