କରୋନା ସମୟରେ କେମିତି ନେବେ ଗର୍ଭବତୀଙ୍କ ଯତ୍ନ

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତର୍କତାର ସହିତ ଜୀବନଯାପନ କରିବାକୁ ପଡୁଛି। କିନ୍ତୁ ବରିଷ୍ଠ ନାଗରିକ, ଗର୍ଭବତୀ, ଶିଶୁ ଓ ରୋଗୀଙ୍କ ପାଇଁ ଏହା ଆହୁରି ଅଧିକ। ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଲୁସି ଦାସ କୁହନ୍ତି ଯେ, କରୋନା ସଂକ୍ରମିତ ଗର୍ଭବତୀ ମହିଳା ହୋମ ଆଇସୋଲେସନରେ ରହିପାରିବେ। କିନ୍ତୁ ସେ ପରିବାରର କାହାରି ସହିତ ମିଶିବେ ନାହିଁ ।
ଯଦି ପରିବାରରେ ଜଣେ ଗର୍ଭବତୀ କରୋନା ପଜିଟିଭ ଚିହ୍ନଟ ଅଛନ୍ତି, ତଥାପି ଅନ୍ୟମାନେ ବ୍ୟସ୍ତ ନ ହୋଇ ସତର୍କତା ଅବଲମ୍ବନ କରିବା ଉଚିତ। ସେମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା ଓ ବାରମ୍ବାର ହାତ ଧୋଇ ସତର୍କ ରହିବେ। ଶିଶୁଟିଏ ଥାଇ ଗର୍ଭବତୀ ମା’ ପଜିଟିଭ ଥିଲେ, ମା’ ଓ ଶିଶୁ ମଧ୍ୟରେ ଦୂରତା ରକ୍ଷା କରାଯିବା ଉଚିତ। କିନ୍ତୁ ଶିଶୁକୁ ପରିବାରର ଦାୟିତ୍ୱ ସଂପନ୍ନ ବ୍ୟକ୍ତି ଯତ୍ନ ନେବେ। ଗର୍ଭବତୀ ମହିଳା ଜଣକ ନିଜର ଯତ୍ନ ନେବେ। ସ୍ୱଚ୍ଛ ରହିବେ। ଭିଟାମିନ ଯୁକ୍ତ ଖାଦ୍ୟ ଖାଇବେ। ଗର୍ଭବତୀ ଯେଉଁ ଔଷଧ ଖାଉଛନ୍ତି ତଥା ଆଇରନ ଓ କ୍ୟାଲସିୟମ ବଟିକା ଖାଇବେ।
କୋଭିଡ ଓ ସାଧାରଣ ରୋଗୀଙ୍କ ପାଇଁ ହସ୍ପିଟାଲ ଗୁଡ଼ିକରେ ଅଲଗା ଅଲଗା ବ୍ୟବସ୍ଥା ରହିଛି। ଏପରିକି କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତର ଓ ଅନ୍ୟ କର୍ମଚାରୀ ବ୍ୟବସ୍ଥା କରାଯାଇଛି। ତେଣୁ ଗର୍ଭବତୀ ମହିଳା ମଧ୍ୟ ନିର୍ଭୟ କରି ସରକାରୀ ହସ୍ପଟାଲ ଯାଇପାରିବେ। କୋଭିଡ ପଜିଟିଭ ମା’ ନିଜର ଶିଶୁଙ୍କୁ କ୍ଷୀର ଖୁଆଇପାରିବେ। ନବଜାତ ଶିଶୁ ଯେହେତୁ ସବୁବେଳେ ମା’ ପାଖରେ ରହିଥାଏ, ମା’ଙ୍କୁ କରୋନା ସତର୍କତା ଅବଲମ୍ବନ କରିବାର ଅଛି। ସାମାନ୍ୟ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ହାତ ଧୋଇବାକୁ ହେବ। ଲୁଗା ସଫା ଓ ପରିଷ୍କାର ରଖିବାକୁ ହେବ ବୋଲି ସେ କହିଛନ୍ତି।
ଡ. ଦାସ ଆହୁରି ମଧ୍ୟ କହିଛନ୍ତି, କୋଭିଡ ପଜିଟିଭ ମା’ର ପ୍ରସୂତୀ ପରେ ମା’ଙ୍କୁ ଭିଟାମିନ ଯୁକ୍ତ ଖାଇବାକୁ ଦିଅନ୍ତୁ। ମା’ ପାଖରେ ଛୁଆକୁ ଅଧିକ ସମୟ ରଖିବେ ନାହିଁ। ଛୁଆଟି କେବଳ ମା’ଠାରୁ କ୍ଷୀର ଖାଇବା ସମୟରେ ରହିବ। ମୋଟାମୋଟି ଭାବେ ଛୁଆର ଯତ୍ନ ପରିବାରର ଅନ୍ୟମାନେ ନେବେ। କୋଭିଡରୁ ବର୍ତ୍ତିବା ଲାଗି ଶିଶୁକୁ ମାସ୍କ ପିନ୍ଧାଇପାରିବା ନାହିଁ। କାରଣ ଭବିଷ୍ୟତରେ ଅସୁବିଧା ହୋଇପାରେ।