Odisha Link
Bridging the Missing Links in Odisha

କୋଲ୍‌ ବ୍ଲକ ନିଲାମ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ବର: କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ରାଜ୍ୟସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ଲାଗି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି। ବର୍ତ୍ତମାନ କୋଭିଡ୍‌ ମହାମାରୀ ସମୟରେ ଖଣିଜ କାରବାର ବେଶ୍‌ ପ୍ରଭାବିତ ହୋଇଛି।

ଅନ୍ୟପଟେ ବିଗତ ବର୍ଷ ତୁଳନାରେ କୋଇଲାର ବଜାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି। ଯଦି ଏହି ପରିସ୍ଥିତିରେ ନିଲାମ କରାଯାଏ ତେବେ ସର୍ବାଧିକ ନିଲାମ ଡାକ ଯଥେଷ୍ଟ କମ ହେବାର ଆଶଙ୍କା ରହିଛି ବୋଲି ଚିଠିରେ ଯୁକ୍ତି ବାଢିଛନ୍ତି ରାଜ୍ୟ ସରକାର। ଏହି ଲିଜ୍‌ ଅବଧି ୩୦ ବର୍ଷ ରହିଥିବାରୁ ରାଜ୍ୟର କୋଇଲା ରାଜସ୍ୱ ଉପରେ ଏହାର ଯଥେଷ୍ଟ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। କରୋନା‌ ପରିସ୍ଥିତିରେ ଉନ୍ନତି ଆସିଲେ ଓ ଉପଯୁକ୍ତ ବଜାର ଅନୁକୂଳ ପରିସ୍ଥିତି ସୁଧୁରିଲେ ନିଲାମ ପ୍ରକ୍ରିୟାକୁ ଆରମ୍ଭ କରାଯିବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି।

କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ୪୧ଟି କୋଲ୍‌ ବ୍ଲକ୍‌ ମଧ୍ୟରୁ ଓଡ଼ିଶାରେ ୯ଟି ରହିଛି। ଏସବୁରେ ମୋଟ ୧୦,୭୫୦ ନିୟୁତ ଟନ କୋଇଲା ମହଜୁଦ ରହିଛି। କେନ୍ଦ୍ରର ସଂଶୋଧିତ ନିର୍ଘଣ୍ଟ ଅନୁଯାୟୀ ୨୦୨୦ ସେପେଫମ୍ବର ୨୯ ବିଡ୍‌ ଦାଖଲର ଶେଷ ତାରିଖ ରହିଥିବାବେଳେ ୨୦୨୦ ଅକେଫବାର ୧୯ ତାରିଖରୁ ନଭେମ୍ବର ୯ ତାରିଖ ମଧ୍ୟରେ ଇ-ନିଲାମ ପ୍ରକ୍ରିୟା ଶେଷକରିବାକୁ ସ୍ଥିର ହୋଇଥିଲା।

Comments are closed.