Odisha Link
Bridging the Missing Links in Odisha

ହ୍ୟାପିନେସ୍‌ ରିପୋର୍ଟ ୨୦୨୦: ସର୍ବନିମ୍ନ ତାଲିକାରେ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ହେଉଛି ସହସ୍ର କୀର୍ତ୍ତିରାଜିର ଭୂମି। ଓଡ଼ିଶା କଳା, ସଂସ୍କୃତି, ଖାଦ୍ୟ, ନୃତ୍ୟ ବିଶ୍ବ ବିଦିତ ଓ ମନୋହର। ତଥାପି ଓଡ଼ିଶାବାସୀ ଖୁସି ନଥିବା ଜଣାପଡ଼ିଛି। ହ୍ୟାପିନେସ୍‌ ରିପୋର୍ଟ ୨୦୨୦ ମୁତାବକ ଓଡ଼ିଶା ସର୍ବନିମ୍ନ ତାଲିକାରେ ଅନ୍ତର୍ଭୁକ୍ତ। ହ୍ୟାପିନେସ୍‌ ତାଲିକାରେ ମିଜୋରାମ୍‌ ଶୀର୍ଷରେ ରହିଥିବା ବେଳେ ସବୁଠାରୁ ତଳେ ରହିଥିବା ୩ ରାଜ୍ୟ ହେଲେ ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼।

ଦେଶର ଜଣେ ପ୍ରମୁଖ ମ୍ୟାନେଜ୍‌ମେଣ୍ଟ ଷ୍ଟ୍ରାଟେଜି ଏକ୍ସପର୍ଟ ପ୍ରଫେସର ରାଜେଶ. କେ. ପିଲାନିଆ ଏହି ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି। ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ସେ ତାଙ୍କର ସର୍ଭେ କରିଛନ୍ତି। ୨୦୨୦ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଖୁସିର ୬ଟି ମାପକକୁ ନେଇ ଏହି ସର୍ଭେ କରାଯାଇଥିଲା। ଏହି ୬ଟି ମାପକ ହେଲା କାର୍ଯ୍ୟ, ସମ୍ପର୍କ, ସ୍ୱାସ୍ଥ୍ୟ, ପରୋପକାର, ଧାର୍ମିକ ତଥା ଆଧ୍ୟାତ୍ମିକ ଦିଗ ଓ କୋଭିଡ୍‌ ପ୍ରଭାବ। ସମଗ୍ର ଦେଶରୁ ପ୍ରାୟ ୧୬୯୫୦ ଜଣ ବ୍ୟକ୍ତିଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ଏଥିରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ଯେ, ଅବିବାହିତଙ୍କ ତୁଳନାରେ ବିବାହିତମାନେ ଖୁସି ଅଛନ୍ତି।

ଦ୍ବିତୀୟ ସ୍ଥାନରେ ପଞ୍ଜାବ ଏବଂ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ରହିଥିବା ବେଳେ ଗୁଜରାଟ ଏବଂ ଉତ୍ତରପ୍ରଦେଶ ଦେଶର ଶ୍ରେଷ୍ଠ ୧୦ ଖୁସି ଭରା ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛନ୍ତି । ରିପୋର୍ଟରୁ ଜଣାଯାଇଛି ଯେ, ଲିଙ୍ଗ ଏବଂ ଖୁସି ମଧ୍ୟରେ କୌଣସି ସମ୍ପର୍କ ନାହିଁ। ବୟସ, ମାରିଟାଲ ଷ୍ଟାଟସ, ଆୟ ଏବଂ ଶିକ୍ଷା ସହ ଏହାର ସମ୍ପର୍କ ରହିଛି। କାର୍ଯ୍ୟ ମାପକରେ ଆସାମ, ପଞ୍ଜାବ, ଆଣ୍ଡାମାନ ନିକୋବର, ମିଜୋରାମ ଏବଂ ପୁଡୁଚେରୀ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଅଛନ୍ତି । ସମ୍ପର୍କ ମାପକରେ ମିଜୋରାମ, ଆଣ୍ଡାମାନ ନିକୋବର, ପଞ୍ଜାବ, କର୍ଣ୍ଣାଟକ ଏବଂ ସିକ୍କିମ ଶ୍ରେଷ୍ଠ ୫ ମଧ୍ୟରେ ରହିଛନ୍ତି । ସ୍ୱାସ୍ଥ୍ୟ ମାପକରେ ଆଣ୍ଡାମାନ ନିକୋବର, ଲାକ୍ଷାଦୀପ, ମିଜୋରାମ, ପଞ୍ଜାବ ଏବଂ ସିକ୍କିମ ଆଗରେ ଅଛନ୍ତି। ପରୋପକାରରେ ଲଦାଖ, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମିଜୋରାମ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଅଛନ୍ତି। ସେହିଭଳି ଧାର୍ମିକ ଏବଂ ଆଧ୍ୟାତ୍ମିକ ଦିଗରେ ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ ନିକୋବର ଏବଂ ଲଦାଖ ଆଗରେ ଅଛନ୍ତି।

 

 

 

 

Comments are closed.