ପରିବା ବିକିଲେ ନିର୍ଦ୍ଦେଶକ ରାମବୃକ୍ଷ

ମୁମ୍ବାଇ : କରୋନା ସମସ୍ତଙ୍କର ଜୀବିକାକୁ ଠପ୍ କରିଦେଇଛି । ସଂକ୍ରମଣ କାରଣରୁ ଅନେକ ଲୋକ ନିଜ ଜୀବିକା ଛାଡି ଘରେ ବସିବାକୁ ବାଧ୍ୟ ହୋଇଥିଲେ ।ପରିବାରର ପେଟ ପୋଷିବା ପାଇଁ ଅନେକ ଲୋକ ଟଙ୍କା ଆୟ କରିବା ପାଇଁ ପରିବା ବିକିବା, ମାଟି ବୋହିବା ଭଳି କାମ କରୁଛନ୍ତି । ଲକଡାଉନ ସମୟରେ ଏଭଳି ଅନେକ ଘଟଣା ଆଖି ଆଗକୁ ଆସିଛି।
‘ବାଳିକା ବଧୂ’ ଭଳି ଲୋକପ୍ରିୟ ଧାରାବାହିକରେ ୟୁନିଟ୍ ନିର୍ଦ୍ଦେଶକ ଭାବେ କାମ କରିଥିବା ରାମବୃକ୍ଷ ଏବେ ପରିବାର ଚଳାଇବା ପାଇଁ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି। ଲକଡାଉନରେ ସୁଟିଂ ବନ୍ଦ ହେବା ପରେ ସେ ଉତ୍ତରପ୍ରଦେଶର ଆଜମଗଡ଼ରେ ଥିବା ନିଜ ଘରକୁ ଚାଲି ଆସିଥିଲେ। କୌଣସି କାମ ନଥିବାରୁ ପରିବାରକୁ ଚଳାଇବା ପାଇଁ ସେ ପରିବା ବିକିବା ଆରମ୍ଭ କରିଥିବା କହିଛନ୍ତି।
ସେ କହିଛନ୍ତି, ୨୦୦୨ରେ ମୋ ସାଙ୍ଗର ସହାୟତାରେ ମୁଁ ମୁମ୍ବାଇରେ ପହଞ୍ଚିଥିଲି। ସିନେମା ଇଣ୍ଡଷ୍ଟ୍ରିର ଅନେକ ବିଭାରେ କାମ କରିବା ପରେ ମୋତେ ନିର୍ଦ୍ଦେଶନା ଦେବାକୁ ଭଲ ଲାଗିଥିଲା। ‘ବାଳିକା ବଧୂ’ ବ୍ୟତିତ ‘ହମାରୀ ଦେବରାଣୀ’ ‘ଇସ୍ ପ୍ୟାର କୋ କ୍ୟା ନାମ ଦୁଁ’, ‘ହମାର ସୌତନ ହମାର ସହେଲି’,‘କୁଛ ତୋ ଲୋଗ କହେଙ୍ଗେ’, ‘ଝଟପଟ ଚଟପଟ’, ଭଳି ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି। କରୋନା ପାଇଁ ଲକଡାଉନ ହେବା ପରେ ସବୁ ବଦଳିଯାଇଥିଲା।
ଘରକୁ ଆସିବା ପରେ ମୋତେ ପରିବା ବିକି ଘର ଲୋକଙ୍କ ପେଟ ପୋଷିବାକୁ ପଡ଼ିଥିଲା। କିନ୍ତୁ ଏ ନେଇ ମୁଁ ଦୁଃଖିତ ନୁହେଁ। ଏବେ ସ୍ଥିତି ସ୍ବାଭାବିକ ହେବା ପରେ ମୁଁ ପୁଣି ମୁମ୍ବାଇ ଫେରି ମୋର କାମ ଆରମ୍ଭ କରିବି ବୋଲି କହିଛନ୍ତି ରାମବୃକ୍ଷ।