Odisha Link
Bridging the Missing Links in Odisha

ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ୯ଟି ମା’ ଗୃହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି, ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମା’ ଓ ଶିଶୁ ମୃତ୍ୟୁହାରକୁ ନିୟନ୍ତ୍ରଣ କରିବାକୁ ଅଧିକ ସଂଖ୍ୟାରେ ‘ମା’ ଗୃହ’ ପ୍ରତିଷ୍ଠା କରାଯିବ।

ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ସରକାରୀ ଓ ଘରୋଇ ସହଭାଗିତାରେ ଚାଲିଥିବା ବିଭିନ୍ନ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର (ୟୁପିଏଚସି), ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର (ପିଏଚସି) ଏବଂ ମା’ ଗୃହ ପରିଚାଳନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗରୁ ରାଉରକେଲାର ତିଲ୍କାନଗର ଏବଂ ସେକ୍ଟର ୨୨ରେ ଥିବା ୟୁପିଏଚସିଗୁଡ଼ିକ ପିପିପି ଧାରାରେ ଚାଲିଛି। ବର୍ତ୍ତମାନ ରାଉରକେଲାର ହମିରପୁର ଏବଂ ମହତାବ ରୋଡ୍ ୟୁପିଏଚସିକୁ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଫଳରେ ଜିଲ୍ଲାରେ ଥିବା ମୋଟ ୧୦ଟି ସହରାଞ୍ଚଳ ପିଏଚସି ଭିତରୁ ସ୍ୱାସ୍ଥ୍ୟ ବିଭାଗ ସିଧାସଳଖ ଭାବେ ୬ଟିର ପରିଚାଳନା କରୁଥିବା ବେଳେ ୪ଟି କେନ୍ଦ୍ରର ପରିଚାଳନା ଯୋଗ୍ୟ ଘରୋଇ ବା ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା କରାଯିବ।

ସେହିପରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ୯ଟି ନୂଆ ମା’ ଗୃହ ପ୍ରତିଷ୍ଠା କରାଯିବା ସହ ଜିଲ୍ଲାରେ ଥିବା ମୋଟ ୭୫ଟି ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ମଧ୍ୟରୁ ୫ଟିକୁ ସରକାରୀ ଓ ଘରୋଇ ସହଭାଗିତା ମାଧ୍ୟମରେ ପରିଚାଳନା କରିବାକୁ ବୈଠକରେ ସ୍ଥିର କରାଯାଇଛି।

ସୁନ୍ଦରଗଡ଼ ଭଳି ଏକ ଆଦିବାସୀବହୁଳ ଜିଲ୍ଲାରେ ମା’ ଓ ନବଜାତଙ୍କ ସୁରକ୍ଷା ପାଇଁ ‘ମା’ ଗୃହ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦୁର୍ଗମ ଅଞ୍ଚଳ ସହିତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଭିନ୍ନ ଜଟିଳତାର ଲକ୍ଷଣ ଥିବା ଗର୍ଭବତୀ ମହିଳାମାନଙ୍କୁ ପ୍ରସବର କିଛିଦିନ ଆଗରୁ ଏହି ମା’ ଗୃହରେ ରଖାଯାଉଛି। ସେଠାରେ ମା’ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଆହାର, ଗର୍ଭାବସ୍ଥାଜନିତ ପରାମର୍ଶ ଦିଆଯିବା ସହିତ ଠିକଣା ସମୟରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ସୁରକ୍ଷିତ ପ୍ରସବକୁ ସୁନିଶ୍ଚିତ କରାଯାଇପାରୁଛି। ପ୍ରସବ ପରେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଘରକୁ ପଠାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।

Comments are closed.