ଘରୁ ଉଦ୍ଧାର ହେଲା ବିରାଟ କଇଁଛ

ଧାମନଗର: ଘର ଭିତରୁ ଉଦ୍ଧାର ହେଲା ବିରାଟ ସାମୁଦ୍ରିକ କଇଁଛ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗ୍ରାମର ହରି ଚରଣ ବାରିକଙ୍କ ଘର ଭିତରୁ ଏହି କଇଁଛଟି ଉଦ୍ଧାର ହୋଇଛି।ଉଦ୍ଧାର ହୋଇଥିବା କଇଁଛର ଲମ୍ବ ପ୍ରାୟ ୨ ଫୁଟ ଏବଂ ଓଜନ ୨୫-୩୫ କିଲୋଗ୍ରାମ ହେବ। ଏହା ଏକ ସାମୁଦ୍ରିକ କଇଁଛ ହୋଇଥିବା ବନ ବିଭାଗ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ଘର ଭିତରେ କଇଁଛଟି ଥିବା ବେଳେ ଏତେ ବଡ଼ କଇଁଛଟିକୁ ଘର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏହି ବିରଳ କଇଁଛଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା। ଏହି ବିରଳ କଇଁଛଟି ନଦୀର ବନ୍ୟା ଜଳରେ ଭାସି ଆସିଥିବା ଅନୁମାନ କରାଯାଉଛି। ଧାମନଗର ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଇଁଛଟିକୁ ଉଦ୍ଧାର କରିବା ସହ ଏହାକୁ ବୈତରଣୀ ନଦୀରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି।