Odisha Link
Bridging the Missing Links in Odisha

ଆଜିଠୁ ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରେଡ଼ିଓରେ ପ୍ରସାରିତ ହେବ ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ। କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏହି “ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ୧୭ରୁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ ସକାଳ ୧୦ ଟାରୁ ୧୦.୧୫ ମି ପର୍ଯ୍ୟାୟ କରାଯିବ। ସୋମବାର ପ୍ରଥମ ଓ ପଞ୍ଚମ ଶ୍ରେଣୀ, ମଙ୍ଗଳବାର ଦ୍ୱିତୀୟ ଓ ଷଷ୍ଠ ଶ୍ରେଣୀ, ବୁଧବାର ତୃତୀୟ ଓ ସପ୍ତମ ଶ୍ରେଣୀ, ଗୁରୁବାର ୪ର୍ଥ ଓ ଅଷ୍ଟମ ଶ୍ରେଣୀ, ଶୁକ୍ରବାର ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ କ୍ଲାସ କରାଯିବ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ସବୁ କେନ୍ଦ୍ରରୁ ଏକ ସମୟରେ ପ୍ରସାରିତ ହେବ। ପ୍ରସାରିତ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷା ଆପ୍‌ରେ ମଧ୍ୟ ଉପଲବ୍ଧ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଦୂରଦର୍ଶନ ମାଧ୍ୟମରେ ଦୈନିକ ୩ ଘଣ୍ଟା ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ପିଲାମାନଙ୍କର ପାଠ୍ୟ ପୁସ୍ତକ, ଉଜ୍ଜ୍ୱଳ, ଉତ୍‌ଥାନ ଓ ଉତ୍କର୍ଷ ଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ପୁସ୍ତକ ଯୋଗାଇ ଦିଆଯାଇଛି। ଚଳିତ ଶିକ୍ଷା ବର୍ଷ ୨୦୨୦-୨୧ ବର୍ଷ ପାଇଁ ୩୦ ପ୍ରତିଶତ ପାଠ୍ୟଖସଡା ହ୍ରାସ କରାଯାଇଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ୍ୟ ବିଷୟ ଶୁଣି ଯୁଗ୍ମ ନିର୍ଦ୍ଦେଶକ, ଏମ୍‌ଆଇଏସ୍‌, ଶିକ୍ଷା ସୌଧ, ଭୁବନେଶ୍ୱରକୁ ମତାମତ ଦେବା ପାଇଁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌, କଟକ ଠାରେ ପାଠ୍ୟ ବିଷୟ ପ୍ରସ୍ତୁତ କରାଯାଉଛି। ଉଭୟ ଟିଭି ଓ ରେଡ଼ିଓରେ ଶିକ୍ଷାଦାନ ପାଇଁ ଆଗ୍ରହୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ନାମ ସୁପାରିଶ କରିବାକୁ ରାଜ୍ୟର ସମସ୍ତ ବ୍ଳକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.