ବିଧାନସଭା ଖବର: କାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ବିଧାନସଭାରେ ଶୋକ ପ୍ରସ୍ତାବ ପରେ କାଲି ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି। କାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବି ହୋଇଛି। ପ୍ରଦୀପ ମହାରଥୀଙ୍କୁ ସମ୍ମାନ ଜଣାଇ ଗୃହ ମୁଲତବି ଘୋଷଣା ହୋଇଛି।
ସୂଚନାଯୋଗ୍ୟ ଯେ, ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ନେଇ ଶୋକପ୍ରସ୍ତାବ ଆଗତ କରାଯାଇଛି। ଏନେଇ ଗୃହରେ ଶୋକପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।
ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବିଭିନ୍ନ ଦଳର ରାଜନୈତିକ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାରଥୀଙ୍କ ବିୟୋଗ ପରେ ମହାରଥୀଙ୍କ ସ୍ମୃତିଚାରଣ କରିଥିଲେ ବହୁ ନେତା। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ସେ ଜଣେ ନିର୍ଭୀକ ବ୍ୟକ୍ତି ଥିଲେ। ପ୍ରଦୀପ ମହାରଥୀଙ୍କର କୌଣସି ପ୍ରକାରର ଭୟ ନ ଥିଲା। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ।