Odisha Link
Bridging the Missing Links in Odisha

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ: ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିସ୍ଫୋରଣରେ ଆହତ ୯ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହାତଙ୍କ ସଂଖ୍ୟା ନେଇ କ୍ୟାପିଟାଲ୍‌ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୯ ଆହାତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି, ସେମାନଙ୍କୁ ଏସ୍‌ସିବି ମେଡିକାଲ୍‌ ପଠାଯାଇଛି।

ଅଗ୍ନିକାଣ୍ଡ ନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣରେ ରହିଛି। ଆହତଙ୍କୁ ହସ୍ପିଟାଲକୁ ନିଆଯାଇଛି। ଏହି ଘଟଣାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି। ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନଜି ଟାଙ୍କି ରହିଛି। ସିଏନଜି ଟାଙ୍କିରେ ନିଆଁ ଲାଗିଛି। ପେଟ୍ରୋଲ ଓ ଡିଜେଲ ଅକ୍ଷତ ଅଛି। ସ୍ଥିତି ନିୟନ୍ତ୍ରଣକୁ ଆସିଗଲାଣି। ଆହତମାନଙ୍କୁ ହସ୍ପିଟାଲ ପଠାଯାଉଛି। ପର୍ଯ୍ୟପ୍ତ ଆମ୍ବୁଲାନ୍ସ ଅଛି।

ସୂଚନାଯୋଗ୍ୟ ଯେ, ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ନିଆଁ ଲାଗିଛି। ଏନେଇ ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପେଟ୍ରୋଲ ପମ୍ପର ୧ କିମି ପରିଧି ଭିତରେ ଭୂକମ୍ପ ଭଳି ଝଟକା ଲାଗିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ଅଞ୍ଚଳକୁ କର୍ଡନ କରି ରଖିଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ରାଜଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତାକୁ ପୁଲିସ ସିଲ୍ କରିଛି। ଘଟଣାସ୍ଥଳରେ ପୁଲିସ କମିଶନର ଓ ଡିସିପି ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Comments are closed.