Odisha Link
Bridging the Missing Links in Odisha

ଶିଳ୍ପ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ୱର: ଆଜି ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ୨ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧୦ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ। ଭିତ୍ତିଭୂମି ଉନ୍ନୟନ ସହ ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ ଭିତ୍ତିକ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟ ଜାରି ରହିଛି। ପୂର୍ବରୁ ଗ୍ରାଉଣ୍ଡ ବ୍ରେକିଂ ହୋଇଥିବା କେତେକ ଶିଳ୍ପଦ୍ୟୋଗ ମଧ୍ୟ କାର୍ଯ୍ୟକ୍ଷମ ହେବାର ଖବର ଆସିଛି। ଏହା ଦ୍ୱାରା ସ୍ୱାସ୍ଥ୍ୟସେମା, ଇସ୍ପାତ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଦ୍ୟୋଗ ହେବ। ଯାହା ରାଜ୍ୟ ଅର୍ଥନୀତି ଏବଂ ମାନବସମ୍ବଳ ପାଇଁ ଖୁସିର ବିଷୟ।

ଏହି ପ୍ରକଳ୍ପର ଗୁଡିକର ଅଟକଳ ପ୍ରାୟ ୮୭୯୬.୬୧ କୋଟି ଟଙ୍କା ରହିଛି। ଏହି ନିବେଶ ମାଧ୍ୟମରେ ରାଜ୍ୟରେ ନୂତନ ଭାବେ ୭୦୦୦ ମାନବସମ୍ବଳକୁ ରୋଜଗାର ମିଳିବ। ମୋଟ ୧୨ ପ୍ରକଳ୍ପ ମଧ୍ୟରୁ ୮ଟି ଏମଏସଏମଇ ଏବଂ ୪ଟି ବୃହତ ପ୍ରକଳ୍ପ। ନିବେଶକୁ ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କିଛିବର୍ଷ ହେବ ଓଡ଼ିଶା ନିବେଶକାରୀଙ୍କ ପାଇଁ ପ୍ରୃକୃଷ୍ଟ କ୍ଷେତ୍ର ପାଲିଟିଛି। ରାଜ୍ୟରେ ଶିଳ୍ପ ଜଗତ ପାଇଁ ନିବେଶର ଭରପୂର ସୁଯୋଗ ରହିଛି। କରୋନା ମହାମାରୀ ସମୟରେ ରାଜ୍ୟରେ ଶିଳ୍ପାୟନ ଧାରା ଅବ୍ୟାହତ ରହିଛି। ଲକଡାଉନ ସମୟରେ ମଧ୍ୟ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିଭଳି ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ନୂତନ ନିବେଶ ରାଜ୍ୟ ପାଇଁ ପ୍ରଗତି ଆଣିବ। ଶିଳ୍ପାୟନର ଧାରା ଅବ୍ୟାହତ ରହିବ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଡକୋ ସିଏମଡି ସଞ୍ଜୟ ସିଂ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ ଏବଂ ଇପିକଲ ଏମଡି ନୀତିନ ଜୱାଲେ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.