Odisha Link
Bridging the Missing Links in Odisha

ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ରାଜ୍ୟସରକାର: ପୃଥ୍ୱୀରାଜ

ଭୁବନେଶ୍ୱର : କୋଭିଡ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି । ରାଜ୍ୟରେ ପ୍ରତିଦିନ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ କୋଭିଡ ମୃତ୍ୟୁ ସଂଖ୍ୟାକୁ ସରକାର ଲୁଚାଇ କମ୍ ମୃତ୍ୟୁ ହେଉଛି ବୋଲି ଦର୍ଶାଉଛନ୍ତି ।

ଏଭଳି ଏକ ସଙ୍କଟ ସମୟରେ ରାଜ୍ୟସରକାର ରାଜ୍ୟରେ କୋଭିଡ ପରିଚାଳନାକୁ ସଠିକ୍ ଢଙ୍ଗରେ ନକରି ରାଜନୈତିକ ଡ୍ରାମା କରିବା ଅତ୍ୟନ୍ତ ଅଶୋଭନୀୟ ।

ଖୋଦ୍ ମୁଖ୍ୟମନ୍ତ୍ରୀ କରୋନା ଯୁଦ୍ଧରେ ସହିଦ ହୋଇଥିବା ଲୋକଙ୍କ ନାଁ ରେ ମିଥ୍ୟା କହିବା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ବିଭ୍ରାନ୍ତିକର କଥା କହି କେନ୍ଦ୍ର ସରକାରଙ୍କ ଉପରେ ମିଥ୍ୟା ଆରୋପ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହରିଚନ୍ଦନ କହିଛନ୍ତି ଯେ, ଗତ ୭ ତାରିଖରେ ରାଜ୍ୟସରକାର ସହିଦ ୬୦ ଜଣ କୋଭିଡ ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇଥିବା ଏବଂ କେନ୍ଦ୍ରସରକାର କେବଳ ଜଣେ ସହିଦଙ୍କ ପରିବାରକୁ ସହାୟତା ଦେବା ପାଇଁ କହିଥିବା କଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରେସ ବିଜ୍ଞପ୍ତିରେ ପ୍ରକାଶିତ ହୋଇଥିଲା ।

ଏହି ତଥ୍ୟ ସଂପୂର୍ଣ୍ଣଭାବେ ଅମୂଳକ ଓ ଭିତିହୀନ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା କି, ସହିଦ ପରିବାରଙ୍କୁ ରାଜ୍ୟସରକାର ସମ୍ମାନ ଦେବା ପରିବର୍ତ୍ତେ ଏକ ମିଥ୍ୟା ତଥ୍ୟ ରଥି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ବାସ୍ତବରେ ୩୦ ମାର୍ଚ୍ଚ୨୦୨୦ ରୁ ୮ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ରାଜ୍ୟସରକାର ୪୭ ଜଣ କୋଭିଡ ଯୋଦ୍ଧା ସହିଦ ହୋଇଛନ୍ତି ବୋଲି କେନ୍ଦ୍ରସରକାରଙ୍କୁ ତାଲିକା ପ୍ରଦାନ କରିଛନ୍ତି ।

ଏଥିରୁ ୪୧ ସହିଦ ପରିବାରଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଇନସ୍ୟୁରାନ୍ସ ଭେରିଫିକେସନ ଚାଲିଥିବାବେଳେ ବାକି ୫ ଜଣ ସହିଦ୍‌ଙ୍କର କୌଣସି ତଥ୍ୟ କିମ୍ବା ସେ ସମ୍ବନ୍ଧିତ କାଗଜପତ୍ର ରାଜ୍ୟସରକାର କେନ୍ଦ୍ରକୁ ପଠାଇ ନାହାଁନ୍ତି ।

ଏପର୍ଯ୍ୟନ୍ତ ଗଂଜାମ ଜିଲ୍ଲାର ଜଣେ ସହିଦ ଡାକ୍ତରଙ୍କ ପରିବାରକୁ କେନ୍ଦ୍ର ସରକାର ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟସରକାର ମିଥ୍ୟା ନକହି ତଥ୍ୟ ସମ୍ବଳିତ କଥା କୁହନ୍ତୁ ।

ରାଜ୍ୟସରକାର ସଠିକ୍ ତଥ୍ୟ ନଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ସହିଦ ପରିବାରଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ନିନ୍ଦନୀୟ ।

୨୧ଏପ୍ରିଲ ୨୦୨୦ରେ କୋଭିଡରେ ମୃତ୍ୟୁବରଣ କରିଥିବା ଆଗଧାଡିର ଯୋଦ୍ଧାଙ୍କୁ କେନ୍ଦ୍ରସରକାରଙ୍କ ସହାୟତା ପରେ ରାଜ୍ୟସରକାର ନିଜ ତରଫରୁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ଏପର୍ଯ୍ୟନ୍ତ ଜଣେ ବି ପରିବାର କାହିଁକି ଏହି ଅନୁକମ୍ପା ରାଶିରୁ ବଞ୍ଚିତ ଅଛନ୍ତି ତାହା ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ।

ସେହିପରି ୨୮ ଜୁଲାଇରେ ୨୦୨୦ରେ କୋଭିଡରେ ମୃତ୍ୟୁବରଣ କରୁଥିବା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ମୃତକଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୭୫୦୦ ଏବଂ ୫୦୦୦ଟଙ୍କା ମାସିକ ସହାୟତା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।  କିନ୍ତୁ ଏହା ଭିତରେ ୨ ମାସ ବିତିଥିଲେ ବି ଏଯାବତ୍ କୌଣସି ଯୋଦ୍ଧାଙ୍କ ପରିବାରକୁ ଟଙ୍କାଟିଏ ବି ମିଳିନାହିଁ ।

ମୁଖ୍ୟମନ୍ତ୍ରୀ କାହିଁକି ଏପର୍ଯ୍ୟନ୍ତ ମୃତକ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ସହାୟତା ଦେଉନାହାଁନ୍ତି ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

କୋଭିଡ ନିୟନ୍ତ୍ରଣରେ କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ ବ୍ୟାପକ ସହାୟତା ଯୋଗାଇଦେଇଥିବା ସମୟରେ ରାଜ୍ୟସରକାର ଏହି ଅନୁଦାନକୁ ବିନିଯୋଗ କରିପାରିନାହାଁନ୍ତି ।

କେନ୍ଦ୍ରସରକାର ୫୬୭ଟି ଭେଣ୍ଟିଲେଟର ଯୋଗାଇଥିବାବେଳେ ରାଜ୍ୟରେ ମାତ୍ର ୧୪୭ରୁ ୧୫୦ ଭେଂଟିଲେଟର କାର୍ଯ୍ୟକ୍ଷମ ହେଉଛି ।

ରାଜ୍ୟସରକାର ଭେଂଟିଲେଟରଗୁଡିକୁ କାର୍ଯ୍ୟକ୍ଷମ କରାଇଲେ ଆଇ.ସି.ୟୁ ବେଡ୍ ବୃଦ୍ଧିପାଇବ ଏବଂ ଗୁରୁତର କରୋନା ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ମିଳିଲେ କୋଭିଡ ମୃତ୍ୟୁହାର କମିବ । ଏଣୁ ରାଜ୍ୟସରକାର ନିଜ ଦାୟୀତ୍ୱ ସଠିକ୍‌ ଢଙ୍ଗରେ ତୁଲାଇବା ପାଇଁ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।

ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟସରକାର ପ୍ରଫେସନାଲ ରୁଦାଲି ଭାବେ ବିଳାପ କରୁଛନ୍ତି । ସରକାର ନିଜର ଦାୟୀତ୍ୱ ଭୁଲି ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଛନ୍ତି ।

ଅନ୍ୟରାଜ୍ୟରେ ବ୍ୟାପକ କୋଭିଡ ଟେଷ୍ଟିଂ ହେଉଛି କିନ୍ତୁ ରାଜ୍ୟରେ ସେତିକି ଟେଷ୍ଟିଂ କରାଯାଉନାହିଁ କାହିଁକି? ଆଜି ସୁଦ୍ଧା ପଡୋଶୀ ଆନ୍ଧ୍ରପ୍ରଦେଶରେ ୬୩ ଲକ୍ଷ, କର୍ଣ୍ଣାଟକରେ ୬୦ଲକ୍ଷ, ତାମିଲନାଡୁରେ ୮୦ଲକ୍ଷ, ଉତରପ୍ରଦେଶରେ ୧ କୋଟି ୩୦ ଲକ୍ଷ ଏବଂ ବିହାରରେ ୮୧ ଲକ୍ଷ ଟେଷ୍ଟିଂ ସରିଥିବାବେଳେ ଓଡିଶାରେ ମାତ୍ର ୩୬ ଲକ୍ଷ ଟେଷ୍ଟିଂ କରାଯାଇଛି ।

ଏଥିରୁ ଜଣାପଡୁଛି କି, ରାଜ୍ୟସରକାର କୋଭିଡ ଟେଷ୍ଟିଂ, ଉନ୍ନତ ମାନର ଚିକିତ୍ସା ଯୋଗାଇବା ଏବଂ ମୃତ୍ୟୁହାର କମ୍ କରିବା ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ।

ବିଗତ ଦିନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ବିଭିନ୍ନ ଘୋଷଣାକୁ ରାଜ୍ୟସରକାର ତୁରନ୍ତ ରାଜ୍ୟରେ ଲାଗୁ କରନ୍ତୁ । ଏହା ସହ ନିଜ ଭୂଲକୁ ରାଜ୍ୟସରକାର ସ୍ୱୀକାର କରି ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ।

ଆଗାମୀ ଏକ ସପ୍ତାହ ଭିତରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶୃତି ରକ୍ଷା କରି ରାଜ୍ୟସରକାରଙ୍କ ତରଫରୁ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅତିରିକ୍ତ ୫୦ଲକ୍ଷ ଟଙ୍କାର ସହାୟତା ଦେବା ସହ ଅଙ୍ଗନବାଡୀ ଓ ଆଶାକର୍ମୀଙ୍କ ପରିବାରକୁ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସର ସହାୟତା ରାଶି ପ୍ରଦାନ କରିବା ପାଇଁ ହରିଚନ୍ଦନ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସ୧ିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ ।

Comments are closed.