ବିଜେଡି ଷ୍ଟାର୍ ପ୍ରଚାରକ ତାଲିକାରୁ ବାଦ ପଡ଼ିଲେ ଅନୁଭବ

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେଡି ପ୍ରଚାର ଶୋଭାଯାତ୍ରାରେ ନବୀନ ପଟ୍ଟନାୟକଙ୍କ ପରେ ଯଦି କାହାକୁ ଦେଖିବା ପାଇଁ ଅଧିକ ଭିଡ଼ ଜମୁଥିଲା ତେବେ ସେ ଥିଲେ ଅଭିନେତା ଅନୁଭବ ମହାନ୍ତି। ଅଭିନେତା ଅନୁଭବଙ୍କୁ ଦେଖିବା ପାଇଁ ବିଶେଷ କରି ଯୁବ ଭୋଟରମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ରହିଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ପାରିବାରିକ ସମସ୍ୟା ଯୋଗୁଁ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ଅନୁଭବଙ୍କୁ ଏଥର ତାରକା ପ୍ରଚାରକ ତାଲିକାରୁ ବାଦ୍ ଦେଇଛି ବିଜୁ ଜନତା ଦଳ। ଦଳରେ ଥିବା ଅନ୍ୟ ତିନି ଜଣ ଅଭିନେତା ଏଥର ତାଲିକାରେ ସ୍ଥାନ ପାଇଥିବା ବେଳେ ଅନୁଭବଙ୍କୁ ଏଡ଼ାଇ ଦିଆଯାଇଛି।
ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନର ଦଳର ପ୍ରଚାର ମଙ୍ଗ ସମ୍ଭାଳିବା ପାଇଁ ବିଜେଡି ପକ୍ଷରୁ ଆଜି ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି। ଏହି ୩୦ ଜଣିଆ ତାଲିକାରେ ନବୀନ ପଟ୍ଟନାୟକଙ୍କ ସମେତ ପ୍ରାୟ ଅଧିକାଂଶ କ୍ୟାବିନେଟ୍ ମନ୍ତ୍ରୀ, କିଛି ସାଂସଦ, ବିଧାୟକ ଓ ଦଳୀୟ ନେତା ଅଛନ୍ତି। ଏହି ତାଲିକାରେ ଅଭିନେତା ଆକାଶ ଦାସ ନାୟକ, ଅରିନ୍ଦମ ଦାସ ଓ କୁନା ତ୍ରିପାଠୀ ମଧ୍ୟ ସ୍ଥାନ ପାଇଛନ୍ତି।