ରାଜ୍ୟରେ ପ୍ରଥମ: ରାୟଗଡ଼ା ପୌର ପରିଷଦରେ ଡ୍ରାଇଭର ନିଯୁକ୍ତି ପାଇଲେ ୫ ଜଣ ଟ୍ରାନ୍ସଜେଣ୍ଡର୍

ରାୟଗଡ଼ା: ଏକପ୍ରକାର ସାମଜିକ ବାସନ୍ଦ ଜୀବନ ବିତାଉଥିବା ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ରାୟଗଡ଼ା ପୌର ପରିଷଦ କର୍ତୃପକ୍ଷ। ପ୍ରଥମ ଥର ପାଇଁ ୫ ଜଣ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ପୌର ପରିଷଦ ପକ୍ଷରୁ ଗାଡ଼ିଚାଳକ ଭାବେ ନିଯୁକ୍ତି ମିଳିଛି। ଏମାନେ ମାସିକ ୮ ହଜାର ଟଙ୍କା ଦରମାରେ ପୌରାଞ୍ଚଳରେ ଥିବା ମଇଳାବୁହା ଗାଡ଼ି ଚଳାଇବେ ବୋଲି ପୌର କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ନିଯୁକ୍ତି ପାଇଥିବା ସମସ୍ତ ଟ୍ରାନ୍ସଜେଣ୍ଡର ହେଉଛନ୍ତି ରାୟଗଡ଼ା ଜିଲ୍ଲାରେ ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କ ଅଧିକାର ଓ ସମ୍ମାନ ପାଇଁ ଲଢ଼େଇ କରୁଥିବା ମା’ ମାଝୀ ଗୌରୀ ଗୋଷ୍ଠୀ ଆଧାରିତ ଅନୁଷ୍ଠାନ (MMG CBO)ର ସଦସ୍ୟ। ମାସେ ତଳେ ଏମାନଙ୍କୁ ପୌର କର୍ତୃପକ୍ଷ ଚୟନ କରିଥିବା ବେଳେ ଆଜି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଟ୍ରାନ୍ସଜେଣ୍ଡର ପିଙ୍କି ଏବଂ କାଜଲ୍ ମା’ ମାଝୀଘରିଆଣୀ ଗୋଷ୍ଠୀ ଆଧାରିତ ଅନୁଷ୍ଠାନର ନେତୃତ୍ବ ନେଉଛନ୍ତି।
ରାଜ୍ୟରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସମର୍ପିତ ସ୍ବେଚ୍ଛାସେବୀ ସଂଗଠନ ସାଥୀ (SAATHII) ପକ୍ଷରୁ ଗତ ୬ ବର୍ଷ ଧରି ଏହି ସିବିଓର ସଦସ୍ୟମାନଙ୍କୁ ସମର୍ଥନ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସାଥୀ ନିରନ୍ତର ଉଦ୍ୟମ କରିଛି। ଆଜିର ଏହି ନିଯୁକ୍ତି ରାଜ୍ୟରେ ଟ୍ରାନ୍ସଜେଣ୍ଡରଙ୍କ ସାମାଜିକ ସ୍ବୀକୃତି ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ସାଥୀର ଓଡ଼ିଶା ରାଜ୍ୟ ପ୍ରକଳ୍ପ ପରିଚାଳକ ଚନ୍ଦନ କୁମାର ନାୟକ କହିଛନ୍ତି।