Odisha Link
Bridging the Missing Links in Odisha

ରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ ଅଭିଶାପ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି ।

ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର ଏକ ଦଳିତ ଛାତ୍ରୀ ପ୍ରମୋଦିନୀ ନାୟକଙ୍କୁ କିଛି ଦୃର୍ବୁତ ଗତ ମେ ମାସ ୧୦ ତାରିଖରେ ଜୋଡା ନଦୀ ପଠାରେ ଦୁଷ୍କର୍ମ କରି ହତ୍ୟା କରିଥିଲେ । ଏହି ଘଟଣାକୁ ୫ ମାସରୁ ଉର୍ଦ୍ଧ୍ୱ ବିତିଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ ।

ପୀଡିତା ପରିବାର ଗରିବ ଓ ଦଳିତ ହୋଇଥିବାରୁ ବାରମ୍ବାର ଅଭିଯୋଗ ପରେ କେ.ନୂଆଗାଁର ପୋଲିସ ଘଟଣାର ତଦନ୍ତ କରୁନାହିଁ କି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ପୀଡିତା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ପୀଡିତା ପରିବାରକୁ ନ୍ୟାୟ ଏବଂ ହତ୍ୟାର ନିରପେକ୍ଷ ତଦନ୍ତ ଦାବୀରେ ବିଜେପି ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଭେଟି ଘଟଣା ସଂପର୍କରେ ଅବଗତ କରାଇବା ସହ ଏତଲା କପି ପ୍ରଦାନ କରିଛନ୍ତି ।

ମେ ୧୦ ତାରିଖ ମାତୃଦିବସ ଦିନ ଦିଗପହଣ୍ଡି ବ୍ଲକ ଦେଓଖାଳି ଗ୍ରାମର ଦଳିତ ଛାତ୍ରୀ ପ୍ରମୋଦିନୀ ନାୟକଙ୍କୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ତାଙ୍କୁ ହତ୍ୟା କରାଯାଇଛି । ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ପ୍ରଥମେ ପୋଲିସ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ଅପମୃତ୍ୟୁର ରୂପ ଦେଇ ଘଟଣାକୁ ଭିନ୍ନ ମୋଡ ଦେବା ଲେଗି ପ୍ରୟାସ କରିଥିଲା ।

ଏହା କ’ଣ ମାତୃ ଦିବସରେ ମା’ଙ୍କୁ ସମ୍ମାନ ? ମହିଳାଙ୍କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଆଜି ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏବଂ ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀରେ ମହିଳା ନ୍ୟାୟ ପାଉନାହାଁନ୍ତି । ଶାସକ ଦଳ ଚାପରେ ପୋଲିସ କାର୍ଯ୍ୟ କରୁଛି ଏବଂ ଜାଣିଶୁଣି ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀମାନଙ୍କୁ ଘଣ୍ଟ ଘୋଡାଉଛି ।

ଏଭଳି ଅଭାବନୀୟ ଘଟଣାକୁ ୫ ମାସ ପୂରିଥିଲେ ବି ଦୁଷ୍କର୍ମକାରୀ ଏବଂ ହତ୍ୟାକାରୀମାନେ ଖୁଲମଖୁଲା ବାହାରେ ବୁଲିବା ପଛରେ ଶାସକ ଦଳର ସଂପୃକ୍ତି ଥିବା ସ୍ପଷ୍ଟ ବାରି ହେଉଛି । ବାରମ୍ବାର ପୀଡିତା ପରିବାର ଜିଲ୍ଲା ଏ.ସପି ଏବଂ ଥାନା ଅଧିକାରୀଙ୍କୁ ନ୍ୟାୟ ପାଇଁ ଗୁହାରୀ କଲେ ମଧ୍ୟ କେହି ବି ତାଙ୍କ କଥା ଶୁଣୁନାହାଁନ୍ତି ।

ପୋଲିସର ନିଷ୍କ୍ରିୟତା ପାଇଁ ଆଜି ପୀଡିତା ପରିବାର ନ୍ୟାୟ ପାଇବାରୁ ବଂଚିତ ରହିଛି । ମାସ ମାସ ବିତୁଥିଲେ ବି ପୋଲିସ ଏବଂ ପ୍ରଶାସନ ଏହି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଧାନ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସମାନ ଆଇନ କହୁଥିବାବେଳେ ଏଠି ହୋଦରା ନୀତି କାହିଁକି ଆପଣାଯାଇଛି ? ଯଦି ମୃତା ପ୍ରମୋଦିନୀ ଦଳିତ ନହୋଇ ଉଚ୍ଚ ଜାତି କିମ୍ବା ଧନିକ ଶ୍ରେଣୀର ହୋଇଥାନ୍ତେ ତେବେ ପୋଲିସ ପ୍ରଶାସନ ସକ୍ରିୟ ହୋଇ କାର୍ଯ୍ୟ କରିଥାନ୍ତା ।

ରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ ଅଭିଶାପ ପାଲଟିଛି । ଅନ୍ୟ ରାଜ୍ୟରେ କିଛି ଦୁଷ୍କର୍ମ ଘଟଣା ଘଟିଲେ ଶାସକ ଦଳର ନାରୀ ନେତ୍ରୀମାନେ ହୀନ ରାଜନୀତି କରି ବୟାନ ବାଜି କରୁଛନ୍ତି । କିନ୍ତୁ ନିଜ ରାଜ୍ୟରେ ସମାନ ଘଟଣାରେ ଚୁପ୍ ରହି ଅନ୍ୟାୟକୁ ପ୍ରସୟ ଦେଉଛନ୍ତି ।

ଶାସକ ଦଳ ନାରୀ ନେତ୍ରୀମାନଙ୍କର ଏ କି ପ୍ରକାର ମାନସିକତା ବୋଲି ପ୍ରଧାନ ପ୍ରଶ୍ନ କରିଛନ୍ତି । ଏହି ଘଟଣାକୁ ଗୁରୁତ୍ୱ ଦେଇ ମାନବାଧିକାରୀ କମିଶନ ଏହାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧୀ ଦଳ ଦାବୀ କରିଛି ।

ଏହା ସହ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀ ଏବଂ ସ୍ଥାନୀୟ ପୋଲିସର ଅବହେଳା ଓ ନିଷ୍କ୍ରିୟତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧୀ ଦଳ ଦାବୀ କରିଛି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଓ ଯୁବକର୍ମୀ ଅନନ୍ତ ନାରାୟଣ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Comments are closed.