Odisha Link
Bridging the Missing Links in Odisha

ଟିଆର୍‌ପି ଘୋଟାଲା: ଗିରଫ ହୋଇପାରନ୍ତି ଅର୍ଣ୍ଣବ ଗୋସ୍ବାମୀ!

ମୁମ୍ବାଇ: ଟେଲିଭିଜନ୍‌ ରେଟିଂ ପଏଣ୍ଟ୍‌ (ଟିଆର୍‌ପି) କେଳେଙ୍କାରୀ ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ। ଫଳରେ ତାଙ୍କର ଗିରଫ ହେବାର ସମ୍ଭାବନା ବଢ଼ିଯାଇଛି।

ଲାଇଭ୍‌ ଲ’ ରିପୋର୍ଟ ଅନୁସାରେ ଅର୍ଣ୍ଣବଙ୍କ ଓକିଲ ହରିଶ ସାଲ୍‌ଭେ ତାଙ୍କର ଗିରଫଦାରୀ ଏଡ଼ାଇବା ପାଇଁ ଆଜି ବମ୍ବେ ହାଇକୋର୍ଟର ଦୁଇଜଣିଆ ବେଞ୍ଚ ସମ୍ମୁଖରେ ବାରମ୍ବାର ଅନୁନୟ ହୋଇତିଲେ ହେଁ ନ୍ୟାୟମୂର୍ତ୍ତି ଏସ୍‌ଏସ୍‌ ସିନ୍ଧେ ଓ ନ୍ୟାୟମୂର୍ତ୍ତି ଏମ୍‌ଏସ୍‌ କର୍ଣ୍ଣିକା ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଟିଆର୍‌ପି ମାମଲାର ଆଗାମୀ ଶୁଣାଣି ଯାଏଁ ଅର୍ଣ୍ଣବଙ୍କୁ ଗିରଫ କରା ନ ଯାଉ ବୋଲି ସାଲ୍‌ଭେ ବେଞ୍ଚ୍‌ ନିକଟରେ ପ୍ରାର୍ଥନା କରିଥିଲେ। ଉତ୍ତରରେ ବେଞ୍ଚ୍‌ କହିଥିଲେ- ଅର୍ଣ୍ଣବ ଏଯାଏଁ ଯେତେବେଳେ ଏହି ଅପରାଧରେ ଅଭିଯୁକ୍ତ ହୋଇନାହାନ୍ତି, ଆମେ ତାଙ୍କର ଗିରଫଦାରୀ ନହେବା ପାଇଁ କିଭଳି ନିର୍ଦ୍ଦେଶ ଦେଇପାରିବୁ?

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସାଲଭେଙ୍କ ବିରୋଧରେ ଯୁକ୍ତି ରଖିଥିଲେ କପିଲ ଶିବଲ।

ସାଲ୍‌ଭେ ବେଞ୍ଚ୍‌କୁ ଅନୁରୋଧ କରିଥିଲେ- ମୁମ୍ବାଇ ପୋଲିସ୍‌କୁ ନିର୍ଦ୍ଦେଶ ଦିଅନ୍ତୁ, ହାଇକୋର୍ଟର ଅନୁମୋଦନ ବିନା ଅର୍ଣ୍ଣବଙ୍କୁ ଗିରଫ କରିବେନାହିଁ।

ଶିବଲ୍‌ ଉତ୍ତର ରଖିଥିଲେ- କାହିଁକି? ସେ (ଅର୍ଣ୍ଣବ) କ’ଣ ଜଣେ ସ୍ବତନ୍ତ୍ର ବ୍ୟକ୍ତି?

କୋର୍ଟ କହିଥିଲେ ଯେ ଅର୍ଣ୍ଣବ ଏଯାଏଁ ଅପରାଧୀ ବୋଲି ଅଭିଯୁକ୍ତ ନ ହୋଇଥିବାରୁ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାର କୌଣସି କାରଣ ନାହିଁ।

ବାରମ୍ବାର ଅନୁରୋଧ କରି ଗିରଫରୁ ଅନ୍ତରୀଣ ସୁରକ୍ଷା ଲାଗି କୋର୍ଟର ଅନୁମତି ପାଇବାରେ ବିଫଳ ସାଲ୍‌ଭେ ଶେଷରେ କହିଥିଲେ- ତା ହେଲେ ତାଙ୍କୁ (ଅର୍ଣ୍ଣବ) ଗିରଫ କରିବାର ୪୮ ଘଣ୍ଟା ପୂର୍ବରୁ ନେୋଟିସ୍‌ ଦିଆଯାଉ।

କପିଲ ଶିବଲ ସାଲ୍‌ଭେଙ୍କ କଥା ମଝିରେ କହିଥିଲେ- ଅର୍ଣ୍ଣବ ଗୋସ୍ବାମୀ ଜଣେ ସ୍ବତନ୍ତ୍ର ବ୍ୟକ୍ତି ନୁହନ୍ତି। ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ସୁବିଧାର ବ୍ୟବସ୍ଥା ନାହିଁ। ସେ ଧାରା ୪୩୮(ଆଗୁଆ ଜାମିନ)ର ସହଯୋଗ ନେଇପାରନ୍ତି, ଧାରା ୪୮୨ ନୁହେଁ।

ତେବେ ଗିରଫଦାରୀ ଅଟକାଇବା ପାଇଁ ଅନ୍ତରୀଣ ସୁରକ୍ଷା ଆଣିବାରେ ବିଫଳ ସାଲଭେ ଶେଷରେ କୋର୍ଟକୁ କହିଥିଲେ ଯେ ଅର୍ଣ୍ଣବ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ଓ ମୁମ୍ବାଇ ପୁଲିସ ଡାକିଲେ ଯିବେ।

ଅର୍ଣ୍ଣବ ଗୋସ୍ବାମୀ ଚଞ୍ଚକତା କରି ନିଜ ଟିଭି ଚ୍ୟାନେଲର ଟିଆର୍‌ପି ବଢ଼ାଇବା ସହ ଅଧିକ ବିଜ୍ଞାପନ ରାଶି ପାଇଥିଲେ ବୋଲି ଅଭିଯୋଗ ହୋଇଛି। ଏହି ବିଜ୍ଞାପନ ବାବଦ ଉଦ୍‌ବୃତ ଅର୍ଥକୁ ଆପରାଧୀକ ଆୟ ବୋଲି କହିଛନ୍ତି ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ। ଏନେ ଗୋସ୍ବାମୀଙ୍କ ବିରୋଧରେ ମାମଲା ହେବା ପରେ ପ୍ରଥମେ ସେ ସୁପ୍ରିମ କୋର୍ଟ ଯାଇ ଗିରଫ ଅଟକାଇବାକୁ ପ୍ରାର୍ଥନା କରିଥିଲେ। ଏ ମାମଲାରେ ମୁଣ୍ଡ ଖେଳାଇବାକୁ ମନା କରିଥିଲେ ସୁପ୍ରିମ କୋର୍ଟ। ଅର୍ଣ୍ଣବ ହାଇକୋର୍ଟ ଯାଆନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।

Comments are closed.