Odisha Link
Bridging the Missing Links in Odisha

ଦୁଇ ଲକ୍ଷ ଟଙ୍କାର ଚୋରା କାଠ ବୋଝେଇ ବୋଲେରୋ ଜବତ

ବେଲଗୁଣ୍ଠା: ଦୁଇ ଲକ୍ଷ ଟଙ୍କାର ଶାଗୁଆନ୍ ଓ ଗମ୍ଭାରୀ କାଠ ବୋଝେଇ ବୋଲେରୋ ଜବତ କରିଛି ଗଞ୍ଜାମ ଜିଲ୍ଲାର ଘୁମୁସର ବନାଞ୍ଚଳ ଉପଖଣ୍ଡ ମୋବାଇଲ୍ ସ୍କ୍ଵାଡ୍ ।

ଏହି ପିକ୍ ଅପର ନମ୍ବର୍ ଓଡି ୨୦-୨୦୫୦। ଗାଡ଼ିର ଡ୍ରାଇଭର ଓ ବେପାରୀ ଜଙ୍ଗଲ ରାସ୍ତା ଦେଇ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି। ଉକ୍ତ ଗାଡ଼ିରେ ୧୫ଟି ଶାଗୁଆନ୍ ଏବଂ ୧୫ଟି ଗମ୍ଭାରୀକୁ ମିଶାଇ ତିରିଶ ଖଣ୍ଡ କାଠଗଣ୍ଡି ଥିବା ଜଣାପଡ଼ିଛି। ସମସ୍ତ କାଠ ୭୦ ଘନ ଫୁଟରୁ ଅଧିକ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁସାରେ, କାଠ ଚୋରା ଚାଲାଣ ହେଉଥିବା ନେଇ ବନ ବିଭାଗକୁ ଏକ ଫୋନ୍ ଆସିଥିଲା ।  ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରାଙ୍କ ନିର୍ଦେଶକ୍ରମେ ଏସିଏଫ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକଙ୍କ ତତ୍ତ୍ୱାବଧାନରେ ଡିଭିଜନ ମୋବାଇଲ୍ ଇନଚାର୍ଜ ସୂର୍ଯ୍ୟମଣି ସେଠୀ ବୁଧବାର ରାତି ସାଢେ ୮ଟା ସମୟରେ ତାଙ୍କ ଟିମ୍ ସହ ଧରାକୋଟ ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଜାହାଡ଼ା ମଝି ଜଙ୍ଗଲ ରାସ୍ତାରେ ଜଗିଥିଲେ।

ସେହି ସମୟରେ କାଠ ବୋଝେଇ ବୋଲେରୋ ପିକ୍ ଅପକୁ ସେମାନେ ଅଟକାଇଥିଲେ। ଏହା ଦେଖି ଡ୍ରାଇଭର୍ ଓ ବେପାରୀ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ରାସ୍ତା ଦେଇ ଚମ୍ପଟ୍ ମାରିଥିଲେ।

କାଠ ବୋଝେଇ ବୋଲେରୋ ପିକ୍ ଅପ୍ ସିଙ୍ଗିପୁର ଜଙ୍ଗଲରୁ ଏହି ମୂଲ୍ୟବାନ୍ କାଠକୁ ଧରାକୋଟ ଦେଇ ସୋରଡ଼ା ବ୍ଲକ୍ ବଡ଼ଗଡ଼ ନିକଟ ଗାଙ୍ଗପୁର ଅଭିମୁଖେ ଯାଉଥିବା ବନ ବିଭାଗ ସନ୍ଦେହ କରୁଛି।

ଗାଡ଼ିର ନମ୍ବରକୁ ଟ୍ରାକ୍ କରି ଚୋରା ବେପାରୀଙ୍କୁ ଧରିବା ଯୋଜନା ରଖିଛି ବନ ବିଭାଗ। ଚଢ଼ଉରେ ଗେଟ୍ କିପର୍ କୃଷ୍ଣ ନାୟକ, ଟୁଟୁ ବିଷୋୟୀ ଓ ପାରା ସ୍କ୍ଵାଡ୍ ପ୍ରମୁଖ ଭାଗ ନେଇଥିଲେ। ଆସ୍କା ଓ ସୋରଡ଼ା ବନ ବିଭାଗର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

Comments are closed.