Odisha Link
Bridging the Missing Links in Odisha

ଦାଦା ବଟି ଆଦାୟ: ୬ ଓ୍ବେବ୍‌ ପୋର୍ଟାଲ ସାମ୍ବାଦିକ ଗିରଫ

ଭୁବନେଶ୍ବର: ନିଜକୁ ଗଣମାଧ୍ୟମ ପ୍ରତିନିଧି ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଧମକ ଦେଉଥିଲେ, ବ୍ୟବସାୟୀଙ୍କୁ ଚାନ୍ଦା ମାଗୁଥିଲେ, ଖବର ପ୍ରସାରଣ କରି ହଇରାଣ କରିବୁ ବୋଲି ଡରାଉଥିଲେ। ଏବେ ଏମିତି ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ୍। ସେମାନେ ବିଭିନ୍ନ ତଥାକଥିତ ଓ୍ବେବ୍‌ ପୋର୍ଟାଲର ସାମ୍ବାଦିକ ବୋଲି ନିଜକୁ ପରିଚୟ ଦେଉଥିଲେ। ଗିରଫ ବ୍ୟକ୍ତିଙ୍କ ଠାରୁ ପରିଚୟ ପତ୍ର, ଟଙ୍କା ଓ ମୋବାଇଲ ଜବତ ହୋଇଛି।

vehicle seized by Bhubaneswar police, 6 journalists arrested

ଦାଦା ବଟି ଆଦାୟ ବିରୋଧରେ କିଛି ଦିନ ହେବ କମିଶନରେଟ୍‌ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସାମ୍ବାଦିକ ନାମରେ ଏହି ୬ ଜଣ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ମୋଟ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଏହି ସାମ୍ବାଦିକମାନେ ଫୋନ୍‌ ପେ’ ଆପ୍‌ ମାଧ୍ୟମରେ ପ୍ରାୟ ୧ ଲକ୍ଷ ୨୩ ହଜାର ଟଙ୍କା ଆଦାୟ କରିଥିବା ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଖଣ୍ଡଗିରି ଅଞ୍ଚଳରେ ଥିବା ଗୋଟିଏ ଘିଅ କମ୍ପାନୀ ଠାରୁ ଏହି ଅର୍ଥ ଆଦାୟ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୩୧ ହଜାର ଟଙ୍କା ଜବତ ହୋଇଛି। ଏଭଳି ଟଙ୍କା ଆଦାାୟକୁ ଦାଦା ବଟି ଭାବରେ ବିଚାର କରାଯିବ ବୋଲି ଡିସିପି କହିଛନ୍ତି।

ସଂପୃକ୍ତ ସାମ୍ବାଦିକମାନଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଗିରଫ ୬ ଅଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଟାଇମ୍ସ ଓଡ଼ିଆ ପୋର୍ଟାଲର କାହ୍ନୁଚରଣ ନାୟକ ଓ ନୃସିଂହ ବେହେରା, ଅନ୍ୟନ୍ୟ ଓଡ଼ିଶାର ଲକ୍ଷ୍ମୀକାନ୍ତ ସାହୁ, ଭିଜନ୍‌ ଟିଭିର ବିଶ୍ବରଂଜନ ମହାନ୍ତି, ଆଇଓ୍ବାଇଏର ବିନାୟକ ବେହେରା ଓ ଗାଡ଼ି ଚାଳକ ବଳରାମ ବେହେରା। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ୫ ଜଣ ସାମ୍ବାଦିକ ଓ ଜଣେ ଡ୍ରାଇଭର ଅଛନ୍ତି। ସେମାନଙ୍କ ଠାରୁ କାର୍‌ ଓ ୪ଟି ବାଇକ୍‌ ମଧ୍ୟ ଜବତ ହୋଇଛି।

Comments are closed.