Odisha Link
Bridging the Missing Links in Odisha

ସମ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମ୍‌ପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା ।

ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ବର୍ଣ୍ଣସ୍‌, ପ୍ଲାଷ୍ଟିକ୍ ଓ କସ୍‌ମେଟିକ୍ ସର୍ଜରୀ ବିଭାଗର ସର୍ଜନ ଡାକ୍ତର ସୁଶାନ୍ତ କୁମାର ମିଶ୍ରଙ୍କ ସଫଳ ଅସ୍ତ୍ରୋପଚାର ଯୋଗୁଁ ରିତିସ୍‌ର କଟା ଆଙ୍ଗୁଠି ଯୋଡି ହୋଇପାରିଛି ।

ଗତ ଅଗଷ୍ଟ ୩୧ ତାରିଖ ଦିନ ନିଜ ଘରର ଲୁହା ଗେଟଟିକୁ ବନ୍ଦ କରୁଥିବା ସମୟରେ ହଠାତ୍ ଗେଟ ଫାଙ୍କରେ ଡାହାଣ ହାତର ବିଶି ଆଙ୍ଗୁଠିଟି ପଶିଯାଇ ପାପୁଲିରୁ ସମ୍ପୁର୍ଣ୍ଣ ଅଲଗା ହୋଇଯାଇଥିଲା । ବାପା ରାମଚନ୍ଦ୍ର ବେହେରା ସଂଗେ ସଂଗେ କଷ୍ଟରେ ଜର୍ଜରିତ ଥିବା ପୁଅ ସହିତ କଟା ଅଙ୍ଗୁଳି ଟିକୁ ଧରି ଚିକିତ୍ସା ପାଇଁ କେତେକ ଘରୋଇ ହସ୍ପିଟାଲ୍‌କୁ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା ।

ଶେଷରେ ସେ ସମ୍ ହସ୍ପିଟାଲର ବର୍ଣ୍ଣସ୍‌, ପ୍ଲାଷ୍ଟିକ୍ ଓ କସ୍‌ମେଟିକ୍ ସର୍ଜରୀ ବିଭାଗକୁ ଚିକିତ୍ସା ନିମନ୍ତେ ପୁଅକୁ ଆଣିଥିଲେ। ଡଃ ସୁଶାନ୍ତ କୁମାର ମିଶ୍ରଙ୍କ ଅଧୀନରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡଃ ମିଶ୍ରଙ୍କ ତତ୍ୱାବଧାନରେ ଏକ ୫ ଜଣିଆ ଟିମ୍‌ ବାଳକଟିର ଅଙ୍ଗୁଳିର ମାଇକ୍ରୋସର୍ଜରୀ ପଦ୍ଧତିରେ ଅସ୍ତ୍ରୋପଚାର କରିଥିଲେ ।

ଅସ୍ତ୍ରୋପଚାର ପରେ ବାଳକଟିର ଅଙ୍ଗୁଳି ସଂପୁର୍ଣ୍ଣ ଭାବେ ଯୋଡି ହୋଇଯାଇଛି । ଖୁବ୍ କମ୍ ଦିନ ମଧ୍ୟରେ ସେହି ହାତରେ ସ୍ୱାଭାବିକ ଭାବେ ବାଳକଟି ସମସ୍ତ କାର୍ଯ୍ୟ କରିପାରିବ ବୋଲିଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.