Odisha Link
Bridging the Missing Links in Odisha

ଆଇପିଏଲ ବେଟିଂ: ବିପୁଳ ଟଙ୍କା ଓ ବୁକି ତାଲିକା ଜବତ

ବ୍ରହ୍ମପୁର: ବ୍ରହ୍ମପୁରରୁ ଧରାପଡିଛି ଆଇପିଏଲ୍‌ ବେଟିଂର ଏକ ବଡ଼ ର‌୍ୟାକେଟ୍‌। ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସୂଚନା ଆଧାରରେ ଚଢ଼ଉ କରି ଆଇପିଏଲ ବେଟିଂ ରାକେଟର ପର୍ଦ୍ଧାଫାସ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୁଲିସ। ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍‌ ବେଟିଂର ସାମ୍ରାଜ୍ୟ ଚଳାଇଥିବା କିଙ୍ଗ୍‌ପିନ୍‌କୁ ବ୍ରହ୍ମପୁର ପୁଲିସ ପ୍ରଥମ ଥର ପାଇଁ ଗିରଫ କରିଛି। କିଙ୍ଗ୍‌ପିନ୍‌ ଏବଂ ତାର ୫ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜବତ କରିଥିବା ବେଳେ ବୁକି ତାଲିକା ମଧ୍ୟ ଜବତ କରିଛି।

ବ୍ରହ୍ମପୁରରୁ ଜିଲ୍ଲା ତମାମ ଆଇପିଏଲ୍‌ ବେଟିଂକୁ କଣ୍ଟ୍ରୋଲ କରାଯାଉଥିବା ସୁରାକ୍‌ ପାଇଥିଲା ପୁଲିସ। ଏହି ବଡ଼ ର‌୍ୟାକେଟ୍‌କୁ ଧରିବାକୁ ପୁଲିସ ପ୍ରୟାସ ଆରମ୍ଭ କରିଥିଲା। ତଥ୍ୟ ପ୍ରଘଟ ଆଶଙ୍କା କରି ଏସ୍‌ପି ମିଶ୍ର ନିଜେ ଏହି ଟିମ୍‌ର ନେତୃତ୍ୱ ନେଇଥିଲେ। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଟାଉନ୍‌ ଥାନା ଆଇଆଇସି ସୁରେଶ କୁମାର ତ୍ରିପାଠୀ ଓ ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିତ୍‌ କୁମାର ସୋରେନ୍‌ ଗୋସାଇଁନୂଆଗାଁ ଥାନା ହାଉସିଂବୋର୍ଡ ଅଞ୍ଚଳରେ ଥିବା କିଙ୍ଗ୍‌ପିନ୍‌ ଘରେ ଚଢ଼ାଉ କରିଥିଲେ।

ପୁଲିସ ବେଟିଂ ମାମଲେରେ ଅଧିକ ଅନୁସନ୍ଧାନ ଜାରି ରଥିଛି ଏ ସଂପଂର୍କରେ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି। ସଂପୃକ୍ତ କିଙ୍ଗପିନ୍‌ ୨୦୧୦ରୁ ଆଇପିଏଲ୍‌ ବେଟିଂ ଆରମ୍ଭ କରିଥିଲା ଏବଂ ଧିରେ ଧିରେ ବେଟିଂ ସାମ୍ରାଜ୍ୟ ବିସ୍ତାର କରିଥିଲା। ଗଞ୍ଜାମ ଜିଲ୍ଲାରେ ବହୁ ଯୁବକଙ୍କୁ ଆଇପିଏଲ୍‌ ବେଟିଂରେ ସଂପୃକ୍ତି କରାଇଥିଲା। ବ୍ରହ୍ମପୁରର ବହୁ ବୁକି ଭୁବନେଶ୍ୱର ଓ ବିଶାଖପାଟଣାମ୍‌ ଯାଇ ବେଟିଂ ର‌୍ୟାକେଟ୍‌ ଚଳାଇଥିବା କୁହାଯାଉଛି। ଜିଲ୍ଲାରେ ବହୁ ବଡ଼ ବ୍ୟବସାୟୀ ଏବଂ ଯୁବକ ଏହି ବେଟିଂରେ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ପୁଲିସ ଅଚାନକ ଚଢ଼ାଉ କରିବା ପରେ ବୁୁକି ମାନେ ଭୁବନେଶ୍ୱର ଚାଲିଯାଇଥିବା ଅନୁମାନ କରାଯାଉଛି।

 

Comments are closed.