Odisha Link
Bridging the Missing Links in Odisha

କାବୁଲ ବିଶ୍ୱବିଦ୍ୟାଳୟ ଗୁଳିକାଣ୍ଡ: ନିଜକୁ ଦାୟୀ କଲା ଇସଲାମିକ୍ ଷ୍ଟେଟ୍

କାବୁଲ: ଆଫଗାନିସ୍ତାନର କାବୁଲ ବିଶ୍ୱ ବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସଲାମିକ୍ ଷ୍ଟେଟ୍। ଏହି ବର୍ବର ଆକ୍ରମଣରେ ଛାତ୍ରଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣରୁ ଅଧିକ ଆହତ ହୋଇଛନ୍ତି।

ଆଫଗାନିସ୍ତାନର ସର୍ବବୃହତ ବିଶ୍ୱ ବିଦ୍ୟାଳୟ କାବୁଲ ବିଶ୍ୱ ବିଦ୍ୟାଳୟରେ ଏକ ପୁସ୍ତକମେଳା ଅନୁଷ୍ଠିତ ହେଉଥିବା ବେଳେ ଏହି ଆକ୍ରମଣ ଘଟିଛି। ଏହି ଆକ୍ରମଣ ସମୟରେ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପ୍ରାୟ ୧୭ ହଜାର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପୁସ୍ତକ ମେଳାରେ ଇରାନର ରାଷ୍ଟ୍ରଦୂତ ବାହାଦୂର ଆମିନିଆନ ଏବଂ ମୋଜତାବା ନୋରୋଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା।ତେବେ ରାଷ୍ଟ୍ରଦୂତଙ୍କ ସମ୍ପର୍କରେ ଉଭୟ ଆଫଗାନିସ୍ତାନ ଏବଂ ଇରାନର ଅଧିକାରୀ ମାନେ ନୀରବତା ଅବଲମ୍ବନ କରିଛନ୍ତି।

ସେନା ପକ୍ଷରୁ ପ୍ରାୟ ୫ ଘଣ୍ଟାର ଅପରେସନ ପରେ ସମସ୍ତ ଆତଙ୍କୀଙ୍କୁ ନିପାତ କରାଯାଇଛି। ୟୁଏସ-ତାଲିବାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ବିଫଳ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ବିଗତ ମାସରେ ଆଇଏସ ପକ୍ଷରୁ ଏକ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୨୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ।

 

Comments are closed.