Odisha Link
Bridging the Missing Links in Odisha

ସରିଲା ଉପନିର୍ବାଚନ, ଫଳାଫଳକୁ ଅପେକ୍ଷା

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ରହିଛି ମତଦାନ। ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୬୮.୦୮ ପ୍ରତିଶତ ମତଦାନ‌ ହୋଇଛି। ଏହି ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୬୮.୧୯ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୭.୯୭ ପ୍ରତିଶତ ରହିଛି।

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି। ଭୋଟ ଗ୍ରହଣ ହୋଇଥିଲେ ମଧ୍ୟ ନେତାଙ୍କ ପ୍ରତିଶ୍ରୁତିରେ ଅସନ୍ତୋଷ ଜାହିର କରିଛନ୍ତି ଭୋଟର। ଅସନ୍ତୋଷ ଜାହିର କରି ପରଥି ପଞ୍ଚାୟତ ଅନ୍ତର୍ଗତ ନନ୍ଦଚକ ଗାଁ ଲୋକେ ଭୋଟ ବର୍ଜନ କରିଥିବା ଜଣାଯାଇଛି। ମୌଳିକ ସୁବିଧା ମିଳୁନଥିବାରୁ ଗ୍ରାମର ମୋଟ୍ ୧୨୬ ଜଣ ଭୋଟର ଭୋଟ ଦେଇନଥିବା ଜଣାଯାଇଛି।

ମୌଳିକ ସୁବିଧା ସୁଯୋଗ ପ୍ରଦାନ ନେଇ ପୂର୍ବରୁ ସେମାନେ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ସମସ୍ୟାର ସମାଧାନ ନେଇ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନାହିଁ। ଫଳରେ ଚଳିତ ଉପନିର୍ବାଚନରେ ମୋଟ ୧୨୬ ଜଣ ଭୋଟର ଭୋଟ୍‌ ବର୍ଜନ କରିଛନ୍ତି।

ସୂଚନଯୋଗ୍ୟ, ଆଜି ଅପରାହ୍ଣ ୩ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୫୫.୦୪ ପ୍ରତିଶତ ମତଦାନ ହୋଇଥିଲା। ଏହି ସମୟରେ ବାଲେଶ୍ବର ସଦରରେ ମତଦାନ ହାର ୫୪.୮୫ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୫୫.୨୩ ପ୍ରତିଶତ ମତଦାନ ହୋଇଥିଲା।

ସେହିପରି ଆଜି ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୪୦.୫୧% ମତଦାନ ହୋଇଥିଲା। ବାଲେଶ୍ୱର ସଦରରେ ମତଦାନ ହାର ୪୧.୩୬ ପ୍ରତିଶତ ଥିବାବେଳେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୩୯.୬୮ ପ୍ରତିଶତ ମତଦାନ ହୋଇଥିଲା।

Comments are closed.