ବିଶ୍ୱ ଧନୀ ତାଲିକାରେ ତଳକୁ ଖସିଲେ ମୁକେଶ ଆମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାର ମୂଲ୍ୟ ହ୍ରାସ ହେବା ପରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ଡ଼ଲାର (୫୦ ହଜାର କୋଟି ଟଙ୍କା) ହ୍ରାସ ପାଇଛି। ଶୁକ୍ରବାର ପର୍ଯ୍ୟନ୍ତ ମୁକେଶ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଷଷ୍ଠ ସ୍ଥାନରେ ଥିବା ବେଳେ ଏବେ ନବମ ସ୍ଥାନକୁ ଖସି ଆସିଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସେପ୍ଟେମ୍ବର ତ୍ରୟମାସରେ ଲାଭ ପୂର୍ବ ବର୍ଷ ତୁଳନାରେ ୧୫ପ୍ରତିଶତ କମ୍ ରହିଛି, ଯେଉଁଥିପାଇଁ କମ୍ପାନୀର ଅଂଶଧନ ମଧ୍ୟ ହ୍ରାସ ପାଇଛି। ସୋମବାର ଦିନ କମ୍ପାନୀର ସେୟାର ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କା ହୋଇଛି। ଏହାସହ ରିଲାଏନ୍ସର ମାର୍କେଟ୍ କ୍ୟାପ୍ ୧.୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।
କରୋନା କାରଣରୁ ଭାରତୀୟ ଅର୍ଥ ବ୍ୟବସ୍ଥାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି। ଲକଡାଉନ ସମୟରେ ବିଭିନ୍ନ ବିଦେଶୀ କମ୍ପାନୀ ରିଲାଏନ୍ସରେ ନିବେଶ କରିଥିଲେ ଯାହା ଫଳରେ ରିଲାଏନ୍ସର ଅଂଶଧନ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା। ମାତ୍ର କରୋନା ପରବର୍ତ୍ତୀ ପରସ୍ଥିତିରେ ଉପଯୁକ୍ତ ଅର୍ଥନୈତିକ ଅଭିବୃଦ୍ଧି ହୋଇନଥିଲା। ଏପରିକି ପ୍ରଥମ ତ୍ରୈମାସିକ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ବିଗତ ବର୍ଷ ସମାନ ସମୟ ତୁଳନାରେ୧୫ ପ୍ରତିଶତ କମ ଲାଭ କରିଛି।
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବିଭିନ୍ନ ବ୍ୟବସାୟକୁ ପ୍ରଭାବିତ କରିଥାଏ। କିଏ ନିର୍ବାଚିତ ହେବେ ଏବଂ ବ୍ୟବସାୟିକ ନୀତି କଣ ରହିବ ତାହାକୁ ନେଇ ସମଗ୍ର ବିଶ୍ୱ ସନ୍ଦିହାନରେ ରହିଛି। ରିଲାଏନ୍ସରେ ନିବେଶ କରିଥିବା ଏକାଧିକ କମ୍ପାନୀ ଆମେରିକାର ହୋଇଥିବାରୁ ଏହା ପରୋକ୍ଷରେ ରିଲାଏନ୍ସର ଅଂଶଧନ ମୂଲ୍ୟ ଉପରେ ପ୍ରଭାବ ପକାଇଛି ବୋଲି ଟ୍ରେଡପଣ୍ଡିତ ମାନେ ମତବ୍ୟକ୍ତ କରିଛନ୍ତି।