Odisha Link
Bridging the Missing Links in Odisha

ଉପ ନିର୍ବାଚନ: ବାଲେଶ୍ୱରରେ ୭୧.୧ %, ତିର୍ତ୍ତୋଲରେ ୬୯.୯% ମତଦାନ

ଭୁବନେଶ୍ୱର: କରୋନା ଗାଇଡ ଲାଇନ ଭିତରେ ଶେଷ ହୋଇଛି ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନର ମତଦାନ। ଉପ ନିର୍ବାଚନରେ ସନ୍ଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୭୧.୧ ପ୍ରତିଶତର ମତଦାନ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀ ଏହି ସୂଚନା ପ୍ରଦାନ କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀ କହିଛନ୍ତି, ବର୍ତ୍ତମାନ ମିଳିଥିବା ତଥ୍ୟରେ ପରିବର୍ତ୍ତନ ହୋଇପାରେ। ଥର୍ମାଲ୍‍ ସ୍କ୍ରିନିଂ ସମୟରେ ଅଧିକ ତାପମାତ୍ରା ରହୁଥିବା ଭୋଟର୍‍ମାନେ ଶେଷ ସମୟରେ ମତଦାନ କରୁଛନ୍ତି। ବିଭିନ୍ନ ବୁଥରେ ୬ଟା ପରେ ମଧ୍ୟ ଭୋଟିଂ ଜାରି ରହିଥିବାରୁ ଆସନ୍ତା କାଲି ପ୍ରକୃତ ସଂଖ୍ୟା ସ୍ପଷ୍ଟ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି। ତେବେ ଉପ ନିର୍ବାଚନରେ ବିନା କୌଣସି ହିଂସାକାଣ୍ଡରେ ସମ୍ପନ୍ନ ହୋଇଥିବା କହିଛନ୍ତି ନିର୍ବାଚନ ଅଧିକାରୀ।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଆସନ ପାଇଁ ୮୦୦ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ୯୦ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ଏବଂ ୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିଲା। ପ୍ରାୟ ୩ ହଜାରରୁ ଅଧିକ କର୍ମଚାରୀ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ପ୍ରଥମ ଥରପାଇଁ ୮୦୦ ଅଙ୍ଗନୱାଡ଼ି ଏବଂ ଆଶାକର୍ମୀଙ୍କ ସହ ସମାନ ସଂଖ୍ୟକ ସ୍ୱେଚ୍ଛାସେବୀଙ୍କୁ ଏହି ପ୍ରକ୍ରିୟାରେ ନିୟୋଜିତ କରାଯାଇଥିଲା। ଚଳିତ ଉପନିର୍ବାଚନରେ କୋଭିଡ୍‍ ସୁରକ୍ଷା ନିମନ୍ତେ ମତଦାନ କେନ୍ଦ୍ର ସଂଖ୍ୟା ଦୁଇଗୁଣ କରାଯାଇଛି।

Comments are closed.